ବରିଷ୍ଠ ରାଜନେତା ଶରଦ ପାୱାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ, ୩୦/୩: ଏନସିପି ବରିଷ୍ଠ ରାଜନେତା ଶରଦ ପାୱାର ମଙ୍ଗଳବାର ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା ଏଣୁ ସେ ବୁଧବାର ହସ୍ପିଟାଲ ଯିବାକୁ ଯୋଜନା କରିଥିବା ବେଳେ ତାଙ୍କୁ ତୁରନ୍ତ ଆଡମିଟ୍‌ କରାଯାଇଛି। ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି ସରକାର ଏବେ ସଂକଟ ଦେଇ ଗତି କରୁଥିବା ବେଳେ ମେଣ୍ଟର ଅନ୍ୟତମ ସହଯୋଗୀ ଏନସିପି ନେତା ହସ୍ପିଟାଲରେ ଭର୍ତ୍ତି ହେବା ନୂଆ ସମସ୍ୟା ସୃଷ୍ଟି କରିଛି।

୮୦ ବର୍ଷ ବୟସ୍କ ପାୱାର ପେଟରେ ଯନ୍ତ୍ରାଣା ଯୋଗୁ ତାଙ୍କର ଏଣ୍ଡୋସ୍କୋପି ଓ ସର୍ଜରୀ ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ଏଥିଲାଗି ବୁଧବାର ତାରିଖ ଥିଲା। ହେଲେ ମଙ୍ଗଳବାର ଯନ୍ତ୍ରଣା ଅତ୍ୟାଧିକ ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ବେଳେ ଆଡମିଟ୍‌ କରାଯାଇଛି। ତାଙ୍କ ଅସୁସ୍ଥତା ନେଇ ଏନସିପି ନେତା ନବାବ ମଲ୍ଲିକ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି।