ଭୁବନେଶ୍ୱର,୩୧ /୩ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଘରେ ଲାଗିପାରିବ ନାହିଁ ବିଜୁ ପକ୍କାଘର ଲୋଗୋ । ବିଜୁ ପକ୍କାଘର ଲୋଗୋ ନ ଲଗାଇବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୩୦ରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ପ୍ରମୁଖ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏବାବଦରେ ଜଣାଇଛନ୍ତି । ଚିଠିରେ ଉଲ୍ଲେଖ ଅଛି ଯେ ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ ।
ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନାର ଲୋଗୋ ଲାଗିପାରିବ ନାହିଁ । ଏହି ଯୋଜନାରେ ରାଜ୍ୟ ସରକାର ନିଜସ୍ୱ କୌଣସି ଲୋଗୋ ବ୍ୟବହାର କରିପାରିବେ ନାହିଁ ବୋଲି ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଛି । ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘରେ ବିଜୁ ପକ୍କାଘର ଲୋଗୋ ବ୍ୟବହାର ନେଇ ପ୍ରଥମେ ବିଜେପି ଅଭିଯୋଗ କରିଥିଲା ।
ଆଉ ଏହାକୁ ବିରୋଧ କରି ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ମଧ୍ୟ ବିଜେପି ପକ୍ଷରୁ ଦିଆଯାଇଥିଲା । ଏହା ପରେ ବିଜେପି ପ୍ରତିନିଧିମଣ୍ଡଳୀ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲା । ଆଉ ଏହା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ।