ରବର୍ଟ ଭଦ୍ରା କରୋନା ପଜିଟିଭ୍, ନିର୍ବାଚନୀ ପ୍ରଚାର ରଦ୍ଦ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨/୪: ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ଵାମୀ ରବର୍ଟ ଭଦ୍ରା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ପ୍ରିୟଙ୍କା ନିଜର ଆସାମ ଯାତ୍ରା ରଦ୍ଦ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ନିକଟରେ କରୋନା ସଂକ୍ରମଣ ସଂସ୍ପର୍ଶରେ ଆସିଥିବାରୁ ନିଜର ଆସାମ ଗସ୍ତ ରଦ୍ଦ କରିବାକୁ ପଡୁଛି। ମୋ ରିପୋର୍ଟ ନେଗେଟିଭ୍ ଆସିଥିବା ପ୍ରିୟଙ୍କା କହିଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ। ମୁଁ କଂଗ୍ରେସର ବିଜୟ ପାଇଁ ପ୍ରାର୍ଥନା କରୁଛି। ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସାମ ପ୍ରଚାରରେ ଯିବାର ଥିବା ବେଳେ ଆସନ୍ତାକାଲି ତାମିଲନାଡୁ ଗସ୍ତ କାର୍ଯ୍ୟକ୍ରମ ଥିଲା। ପ୍ରିୟଙ୍କାଙ୍କ ଆଜି ଆସାମରେ ତିନୋଟି ରାଲି ରହିଥିଲା। କରୋନା କାରଣରୁ ସେ ସମସ୍ତ ଗସ୍ତ ବାତିଲ୍ କରିଛନ୍ତି। ସଂପ୍ରତି ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୮୦ ହଜାରରୁ ଅଧିକ କେସ୍ ସାମ୍ନାକୁ ଆସିଛି।

ଅନ୍ୟପଟେ ରବର୍ଟ ଭଦ୍ରା ଫେସବୁକ୍‌ ପୋଷ୍ଟ କରି ଲେଖିଛନ୍ତି, ଦୁର୍ଭାଗ୍ୟରେ ମୁଁ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛି। କୋଭିଡ୍ ନିୟମ ଅନୁଯାୟୀ ମୁଁ ଆଉ ପ୍ରିୟଙ୍କା ଆଇସୋଲେସନରେ ଅଛୁ। ପ୍ରିୟଙ୍କାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସୌଭାଗ୍ୟର କଥା ପିଲାମାନେ ଆମ ପାଖରେ ନାହାନ୍ତି। ଘରର ବାକି ସଦସ୍ୟ ମଧ୍ୟ ନେଗେଟିଭ୍।