ଏପ୍ରିଲ ୫ ତାରିଖରୁ ଓଡିଶାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ : ରାତି ୧୦ରୁ ଭୋର ୫ ସବୁ ବନ୍ଦ

ଭୁବନେଶ୍ବର,୩/୪ : କରୋନା ସଂକ୍ରମଣକୁ ଆଖିରେ ରଖି ଏପ୍ରିଲ ୫ ତାରିଖରୁ ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। । ୧୦ ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ, ବଲାଙ୍ଗିର, ନୂଆପଡା, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗୁପର, କୋରାପୁଟ, ମାଲକାନାଗିରି ଏବଂ ବରଗଡ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ରାତି ୧୦ଟାରୁ ଭୋର ୫ ଟା ଯାଏଁ ରାଜ୍ୟର ଏହି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁହେବ । ଆସନ୍ତା ଏପ୍ରିଲ ୫ ତାରିଖରୁ ଏହି ନିୟମ ଲାଗୁ ହେବା ନେଇ ସୂଚନା ମିଳିଛି । ନାଇଟ କର୍ଫ୍ୟୁ ବେଳେ ଜରୁରୀ ସେବା ଚାଲୁ ରହିବ ।

ନାଇଟ କର୍ଫ୍ୟୁ ସମୟରେ ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ଓ ଅନୁଷ୍ଠାନ ବନ୍ଦ ରହିବ। ତେବେ ଡାକ୍ତର, ମେଡିକାଲ୍ / ପାରାମେଡିକାଲ୍ ଷ୍ଟାଫ୍ (ସରକାରୀ ଏବଂ ବେସରକାରୀ), ଆମ୍ବୁଲାନ୍ସ, ବିଦ୍ୟୁତ୍, ଅଗ୍ନିଶମ ସେବା, ଟେଲିକମ୍, ଜଳ ପରି ୟୁଟିଲିଟିର ଜରୁରୀକାଳୀନ କର୍ମଚାରୀ, ହୋଟେଲ୍ କର୍ମଚାରୀ ଆଦିଙ୍କ ଗମନାଗମନ ଉପରେ କୌଣସି କଟକଣା ନାହିଁ। ଠିକ୍ ସେହିପରି ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡ ଆଦିକୁ ଯାଉଥିବା ଯାତ୍ରୀମାନଙ୍କ ଲାଗି ପ୍ରତିବନ୍ଧକ ନାହିଁ। ଚିହ୍ନଟ କରାଯାଇଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ କଟକଣାରୁ ମୁକ୍ତ ରଖାଯାଇଛି। ନିଜର କଂପାନି ପରିଚୟ ପତ୍ର ଦେଖାଇ ଆଇଟି କର୍ମଚାରୀମାନେ ବି ନାଇଟ୍ କର୍ଫ୍ୟୁ ସମୟରେ ଯାତାୟତ କରିପାରିବେ।

ସେହିପରି ଏଲପିଜି ବିତରଣ, ରନ୍ଧନ ଗ୍ୟାସର ଘର ବିତରଣ, ଖାଦ୍ୟ ସାମଗ୍ରୀ, ପନିପରିବା, ଅଣ୍ଡା, ମାଛ, ମାଂସ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ବିତରଣ ଉପରେ ବି କୌଣସି କଟକଣା ନଥିବା ଜଣାଯାଇଛି। ପେଟ୍ରୋଲ ପମ୍ପ ଓ ସିଏନ୍ଜି ଷ୍ଟେସନ ଖୋଲା ରହିବ। ଜାତୀୟ ରାଜପଥରେ ଥିବା ଢାବାଗୁଡ଼ିକରୁ ଖାଦ୍ୟ ପାର୍ସଲ ନିଆଯାଇପାରିବ। ଜମାଟୋ, ସ୍ବିଗି ଭଳି ସଂସ୍ଥାର ହୋମ୍ ଡେଲିଭରିକୁ ଅନୁମତି ଦିଆଯାଇଛି।