ଫୋନରେ କଥା ହୋଇ ଏକାଥରକେ ୨ ଡୋଜ କୋଭିଡ ଟୀକା ଦେଲେ ନର୍ସ : ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା

ଉତ୍ତରପ୍ରଦେଶ,୪ /୪ : ଉତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲାର ଆକବରପୁର ଅଂଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ପ୍ରତିଷେଧକ ଟିକା ଦେଉଥିବା ଜଣେ ନର୍ସ ଫୋନରେ କଥା ହେବାରେ ଏତେ ମସଗୁଲ ଥିଲେ ଯେ ସେ ଭୁଲିଗଲେ ଯେ ତାଙ୍କ ସାମ୍ନାରେ ବସିଥିବା ୫୦ ବର୍ଷୀୟ ମହିଳା ଜଣଙ୍କ ପ୍ରଥମ ଡୋଜ କୋଭିଡ ଟିକା ନେଇସାରିଛନ୍ତି। ମହିଳା ଜଣଙ୍କ ମନ କରିବା ସତ୍ୱେ କିନ୍ତୁ ଆଉ ଗୋଟିଏ ଡୋଜ ଟିକା ଦେଲେ ନର୍ସ। ଏହି ଘଟଣା ଘଟିବା ପରେ ସେହି ମହିଳାଙ୍କ ପରିବାର ଲୋକେ କିଛି ସମୟ ପାଇଁ ପାଟିତୁଣ୍ଡ କରିଥିଲେ ଓ ଏ ନେଇ ସେହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ତୁରନ୍ତ ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ପହଂଚିଥିଲେ। ୫୦ ବର୍ଷୀୟ କମଲେଶ କୁମାରୀଙ୍କ ପରିବାରବର୍ଗ କହିଛନ୍ତି ଯେ କୋଭିଡ ଟୀକାର ୨ଟି ଡୋଜ ଏକ ସଂଗେ ନେବା ପରେ ଯଦିଓ କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇନାହିଁ, କେବଳ ହାତ କୁଣ୍ଡାଇ ହେବ ସହ ଫୁଲି ଯାଇଛି।

ସମ୍ପୃକ୍ତ ନର୍ସଙ୍କ କାର୍ଯ୍ୟରେ ଅବହେଳାକୁ ଜିଲ୍ଲାପାଳ ଜିତେନ୍ଦ୍ର ପ୍ରତାପ ସିଂହ ଗୁରୁତର ସହ ଗ୍ରହଣ କରିଛନ୍ତି। ଏହି ଘଟଣାର ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ନର୍ସଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।