ମୁମ୍ବାଇ,୪ /୪ : ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍-୧୪ ପଥରେ କରୋନା ପୁଣି ଥରେ ବଡ଼ କଣ୍ଟା ଭାବେ ଉଭା ହୋଇଛି। ଗତବର୍ଷ କରୋନା ସଂକ୍ରମଣର ଭୟାବହତା ଭିତରେ ବିସିସିଆଇ ଏହି ଚର୍ଚ୍ଚିତ ତଥା ଅତ୍ୟନ୍ତ ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍କୁ ୟୁଏଇ ସ୍ଥାନାନ୍ତର କରିଥିଲା। ଏବର୍ଷ ପୁଣି ଥରେ ସେହି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆରମ୍ଭ ହେବାକୁ ଆଉ ମାତ୍ର ୫ ଦିନ ବାକି ଥିବାରୁ ଏଥରର ଆଇପିଏଲ୍କୁ ଦେଶ ବାହାରକୁ ନେବା ଏକପ୍ରକାର ଅସମ୍ଭବ ମନେ ହେଉଛି। ଭାରତରେ ଦିନକୁ ଦିନ ବଢ଼ି ଚାଲିଥିବା କରୋନାର ଦ୍ବିତୀୟ ଲହର କିନ୍ତୁ ବିସିସିଆଇ ଚିନ୍ତାକୁ ବହୁଗୁଣ ବଢ଼ାଇ ଦେଇଛି। ଜଣକ ପରେ ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ୍ ଆସୁଥିଲା ବେଳେ କିଛି ଆୟୋଜକ ଷ୍ଟାଡିୟମ୍ର ଗ୍ରାଉଣ୍ଡ୍ସମ୍ୟାନ୍ ଓ ଅଧିକାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବାର ଖବର ଏଥରର ଆଇପିଏଲ୍କୁ ଫିକା କରିଦେବାର ଆଶଙ୍କା ସୃଷ୍ଟିକରିଛି। ଏକାଧିକ ପ୍ରତିଷ୍ଠିତ ବିଦେଶୀ ଖେଳାଳି ବି ଏଥରର ଆଇପିଏଲ୍ରୁ ଓହରି ଯାଇଛନ୍ତି। ଯାହା ବିସିସିଆଇ ପାଇଁ ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। କରୋନା ସ୍ଥିତି କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିବା ପରେ ଭାରତ-ଇଂଲଣ୍ଡ ଶୃଙ୍ଖଳାର ହାତଗଣତି ମ୍ୟାଚ୍ରେ ଦର୍ଶକଙ୍କ ଷ୍ଟାଡିୟମ୍ ପ୍ରବେଶକୁ ଅନୁମତି ମିଳିଥିଲା। ମହାରାଷ୍ଟ୍ର ଭଳି ରାଜ୍ୟରେ କରୋନା ସ୍ଥିତି ଉଗ୍ର ହେବାରେ ଲାଗିଥିବାରୁ ଏଥରର ଆଇପିଏଲ୍ ଗତବର୍ଷ ଭଳି ବିନା ଦର୍ଶକରେ ଖେଳାଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଖେଳାଳିମାନେ ଲଗାତାର ଜୈବ ବଳୟର ମାନସିକ ଚାପ ଭିତରେ ରହି କ୍ରିକେଟ୍ ଖେଳିବା ସେମାନଙ୍କ ପାଇଁ ମସ୍ତବଡ଼ ଆହ୍ବାନ ଭାବେ ଉଭା ହୋଇଛି।
ଆଇପିଏଲ୍କୁ ନେଇ ଶନିବାର ବିସିସିଆଇ ଓ କ୍ରିକେଟ୍ପ୍ରେମୀଙ୍କୁ ବି ଏକାଧିକ ଖରାପ ଖବର ମିଳିଛି। ଏଥରର ଆୟୋଜକ ଥିବା ୬ ଷ୍ଟାଡିୟମ୍ ଭିତରୁ ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖ୍ଡେ ଷ୍ଟାଡିୟମ୍ର ୧୦ ଜଣ ଗ୍ରାଉଣ୍ଡ୍ସମ୍ୟାନ୍ଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେହିଭଳି ଆଇପିଏଲ୍ ଆୟୋଜନ ଦାୟିତ୍ବରେ ଥିବା ଏକ ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ କଂପାନିର ୬ ଜଣ କର୍ମଚାରୀଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ୱାଙ୍ଖ୍ଡ଼େରେ ଆସନ୍ତା ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବାର ଅଛି। ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ଅଲ୍ରାଉଣ୍ଡର ଅକ୍ଷର ପଟେଲଙ୍କୁ କରୋନା ହେବା ଏହି ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଜଣେ ଅଧିକାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତେ ଏବେ ସଙ୍ଗରୋଧରେ ରହି ଆବଶ୍ୟକ ଚିକିତ୍ସା ଗ୍ରହଣ କରୁଛନ୍ତି। ଏହା ପୂବରୁ କୋଲ୍କାତା ନାଇଟ୍ ରାଇଡର୍ସ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏବେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ଏହି ଦଳକୁ ଆଶ୍ବସ୍ତ କରିଛି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଆଇପିଏଲ୍ ୬ ସହର ଯଥା ବେଙ୍ଗାଲୁରୁ, ଅହମଦାବାଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାରେ ଖେଳାଯିବ।