ଭୁବନେଶ୍ବର,୬ /୪: ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି। ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲା ଗୁଡ଼ିକରେ କରୋନା ଭାଇରସ ସଂକ୍ରମଣ ଅଧିକ ସକ୍ରିୟ ଥିବାରୁ ମୁଖ୍ୟ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସ୍ଥିତି ପର୍ଯ୍ୟବେକ୍ଷଣ ଲାଗି ପଶ୍ଚିମ ଓଡ଼ିଶା ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ କରୋନାର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପଶ୍ଚିମ ଓଡ଼ିଶାକୁ ତୁରନ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପଠାଇବାକୁ ନିର୍ଦ୍ଦେଶ ଦେବା ସହ କରୋନା ମୁକାବିଲା ପାଇଁ ହସ୍ପିଟାଲ ଭିତ୍ତିଭୂମି ଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍ର ଏହି ଲହର ଅତି ସଂକ୍ରାମକ । ତେଣୁ ସତର୍କ ନରହିଲେ ଏହା ବିପଦ ବଢ଼ାଇପାରେ। କରୋନା ବିପକ୍ଷରେ ବିଜୟ ହେବାକୁ ହେଲେ ବ୍ୟକ୍ତିଗତ ଓ ସାମୂହିକ ଭାବେ କଟକଣାକୁ କଡ଼ାକଡ଼ି କରିବାର ଆବଶ୍ୟକତା ଅଛି। ମୁଖ୍ୟମନ୍ତ୍ରୀ କୋଭିଡ ନିୟମ ପାଳନ କରିବାକୁ କହିଛନ୍ତି।ଏଥି ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଥେଷ୍ଟ ସଂଖ୍ୟକ ପୁଲିସ କର୍ମୀଙ୍କୁ ନିୟୋଜିତ କରିବାକୁ ସେ କହିଛନ୍ତି। ଆଗାମୀ ୧୦ ଦିନ ପର୍ଯ୍ୟନ୍ତ କରୋନା କଟକଣା ସାରା ରାଜ୍ୟରେ କଡ଼ାକଡ଼ି ପାଳନ ହେବ।
ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାାପାତ୍ର, ରାଜ୍ୟର ସବୁ ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।