ବିବାହରେ ୫୦ ଏବଂ ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି : ସରକାରଙ୍କ ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୧୦/୪: ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟ ସରକାର ଘନ ଘନ ନୂଆ ଗାଇଡ୍‌ଲାଇନ୍ସ ଆଣୁଛନ୍ତି। ଦିଲ୍ଲୀ ସରକାର ଆଣିଛନ୍ତି ନୂଆ ଗାଇଡ୍‌ଲାଇନ୍‌। ନୂଆ ନିୟମ ଅନୁସାରେ ବିଭିନ୍ନ ସାର୍ବଜନୀକ ସମାରୋହ ଉପରେ ପ୍ରତିବନ୍ଧ ଲଗାଯାଇଛି। ରେଷ୍ଟୁରାଣ୍ଟ, ସିନେମା ହଲ୍‌, ବିବାହ ଏବଂ ଅନ୍ତିମ ସଂସ୍କାର ବେଳେ ଲୋକସଂଖ୍ୟାକୁ କମ୍‌ କରିବା ଉପରେ ସରକାର ଜୋର ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏହି ନିୟମ ଏବଂ ରାତ୍ରି କର୍ଫ୍ୟୁ ଏପ୍ରିଲ ୩୦ ଯାଏ ବଳବତ୍ତର ରହିବ। ଦିଲ୍ଲୀର ପ୍ରତି ସାମାଜିକ, ରାଜନୈତକ, ଖେଳ, ମନୋରଞ୍ଜନ, ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛନ୍ତି ସରକାର। ରେଷ୍ଟୁରାଣ୍ଟ, ସିନେମା ହଲ୍‌ ଏବଂ ବସ୍‌ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ଜାତୀୟ ଏବଂ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଖେଳାଳିଙ୍କୁ ଛାଡ଼ି ଦେଲେ ସ୍ବିମିଂ ପୋଲ୍‌ ବନ୍ଦ ରହିବ।

ଷ୍ଟାଡିୟମରେ କୌଣସି ଦର୍ଶକ ରହିପାରିବେ ନାହିଁ। ଗ୍ରେଡ-୧ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ତଳିଆ କର୍ମଚାରୀ ରୋଟେସନ୍‌ ଆଧାରରେ କାର୍ଯ୍ୟାଳୟ ଆସିବେ। ଏହା ସହ ଘରୋଇ କାର୍ଯ୍ୟାଳୟରେ ସମୟ ଅବଧି କମ କରିବା ଏବଂ ଓ୍ବାର୍କ ଫର୍ମ ହୋମ ଉପରେ ଜୋର ଦେବାକୁ ପରାମର୍ଶ ଦେଇଛନ୍ତି ସରକାର। ନୂଆ ନିୟମ ଅନୁସାରେ ମହାରାଷ୍ଟ୍ରର ସମସ୍ତ ବିମାନ ଯାତ୍ରୀଙ୍କ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ। ଏହି ରିପୋର୍ଟ ୭୨ ଘଣ୍ଟା ଭିତରେ ହୋଇଥିବା ଦରକାର। ମୁଖ୍ୟ କଥା ହେଉଛି ଏଣିକି ଅନ୍ତିମ ସଂସ୍କାର ବେଳେ କେବଳ ୨୦ ଲୋକ ଏବଂ ବିବାହ ଉତ୍ସବରେ ୫୦ ଜଣ ଅତିଥି ସାମିଲ ହୋଇପାରିବେ।