ନୂଆଦିଲ୍ଲୀ,୧୧ /୪: ଦେଶରେ କରୋନା ସଂକ୍ରମଣ ଅତ୍ୟଧିକ ସଂଖ୍ୟାରେ ବୃଦ୍ଧି ପାଉଥିବା ଚିନ୍ତାର କାରଣ ହୋଇଛି। ଅନ୍ୟ ପକ୍ଷରେ ସଂକ୍ରମଣ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଦେଶରେ କରୋନା ପ୍ରତିଷେଧକ ଟିକାକରଣ ବୃଦ୍ଧି ପାଇଛି। ଆଜି ସୁଦ୍ଧା ଦେଶର ୬୦ ହଜାର ୬୫୯ଟି ଟିକାକରଣ କେନ୍ଦ୍ରରେ ୧୦ କୋଟି ୧ ଲକ୍ଷ ୮୫ ହଜାର ୨୭ ଜଣଙ୍କୁ ଟିକାକରଣ କରାଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୮ କୋଟି ୮୪ ଲକ୍ଷ ୧୫ ହଜାର ୩୧୬ ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧ କୋଟି ୧୭ ଲକ୍ଷ ୬୯ ହଜାର ୭୧୧ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ଆଜି ୬ ଲକ୍ଷ ୯୫ ହଜାର ୨୪୪ ଜଣ ଏହି କରୋନା ପ୍ରତିଷେଧକ ଟିକା ନେଇଛନ୍ତି। ଦେଶବ୍ୟାପୀ ୫୫ ହଜାର ୩୨୪ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୫ ହଜାର ୩୩୫ଟି ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକା ଦିଆଯାଉଛି।
ସୂଚନା ଅନୁଯାୟୀ, କୋଭିଡ ପ୍ରତିଷେଧକ ଟିକା ପାଇଁ ଏ ପର୍ଯ୍ୟନ୍ତ ୧ କୋଟି ୧୮ ଲକ୍ଷ ୧୨ ହଜାର ୭୬୩ ଜଣ ଅନଲାଇନ ଜରିଆରେ ପୋର୍ଟାଲରେ ପଞ୍ଜିକରଣ କରିଥିବା ବେଳେ ୫ କୋଟି ୭୮ ଲକ୍ଷ ୨୭ ହଜାର ୮୨୬ ଜଣ ସିଧାସଳଖ ଟିକାକରଣ କେନ୍ଦ୍ରକୁ ଆସି ପଞ୍ଜିକରଣ କରି ତତ୍କାଳ ଟିକା ନେଇଛନ୍ତି। ସେହିପରି ଦେଶରେ ୨ କୋଟି ୩୧ ଲକ୍ଷ ୧୦ ହଜାର ୭୫୨ ଜଣ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ପାଇଁ ପଞ୍ଜିକରଣ କରିଛନ୍ତି।