ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ବ ନେଲେ ସୁଶୀଲ ଚନ୍ଦ୍ରା

ନୂଆଦିଲ୍ଲୀ,୧୩/୪ : ମୁଖ୍ୟ ନିର୍ବାଚନ କମିସନର ଭାବେ ସୁଶୀଲ ଚନ୍ଦ୍ରା ଦାୟିତ୍ବ ନେଇଛନ୍ତି । ସୁନୀଲ ଆରୋରରାଙ୍କ କାର୍ଯ୍ୟକାଳ ସମାପ୍ତ ହେବାପରେ ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ବ ଭାର ଗ୍ରହଣ କରିଛନ୍ତି । ସେ ୨୦୨୨ ମସିହା ମେ ୧୪ ଯାଏଁ ସିଇସି ରହିବେ ।

ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୂଯାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁଶୀଲ ଚନ୍ଦ୍ରାଙ୍କୁ ଏପ୍ରିଲ ୧୩ ତାରିଖ ୨୦୨୧ରୁ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ନିର୍ବାଚନ କମିସନର ନିଯୁକ୍ତ କରାଯାଇଥିଲା । ଚନ୍ଦ୍ରାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଆ, ମଣିପୁର, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଗୋଆ, ମଣିପୁର , ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସେହିଭଳି ଉତ୍ତର ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଆସନ୍ତା ବର୍ଷ ମେ ୧୪ ତାରିଖରେ ଶେଷ ହେବାକୁ ଯାଉଛି ।

ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ବ ନେବା ପୂର୍ବରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡର ଅଧ୍ୟକ୍ଷ ଥିଲେ ସୁଶୀଲ ଚନ୍ଦ୍ରା । ସେ ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ବ ନେବା ପରେ ରାଜୀବ କୁମାରଙ୍କୁ ନିର୍ବାଚନ କମିସନର ଭାବେ ଦାୟିତ୍ବ ମିଳିଛି ।