ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ନିୟନ୍ତ୍ରଣ ରୋକିବା ଲାଗି ନେଇ ଲକଡାଉନ୍ ଭଳି କଟକଣା ଲାଗୁ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଦିନ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ମହାରାଷ୍ଟ୍ରର କରୋନା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଏହାକୁ ରୋକିବା ଲାଗି କଡ଼ା କଟକଣାର ଆବଶ୍ୟକତା ରହିଛି। ଆସନ୍ତା ୧୫ ଦିନ ଲାଗି ସମସ୍ତ ପ୍ରକାର ସମାବେଶ ଉପରେ ରୋକ ଲଗାଯିବା ସହିତ ଅତ୍ୟାବଶ୍ୟକୀୟ ସେବା ବ୍ୟତିରେକେ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଆଜିଠାରୁ ରାତି ୮ଟାରୁ ‘ବ୍ରେକ ଦି ଚେନ ଅଭିଯାନ’ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଠାକରେ ଘୋଷଣା କରିଛନ୍ତି।
ଆଜିଠାରୁ ସାରା ରାଜ୍ୟରେ ଜାରି ହେବ ୧୪୪ ଧାରା । ଘୋଷଣା ଅନୁଯାୟୀ, ମେ ପହିଲା ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଭଳି କଟକଣା ବଳବତ୍ତର ରହିବ । ସମସ୍ତ କର୍ମଚାରୀ ଅଫିସ ନ ଆସି ଘରୁ କାମ କରିବା ସହ ଏକାଠି ନ ହେବାକୁ ନିର୍ଦ୍ଦେଶନାମା ଜାରି ହେବ। ୪ ଜଣରୁ ଅଧିକ ବ୍ୟକ୍ତି ଏକତ୍ରିତ ହୋଇପାରିବେ ନାହିଁ। ଏହି ସମୟରେ ଡାକ୍ତରଖାନା, ବ୍ୟାଙ୍କ, ଗଣମାଧ୍ୟମ ସଂସ୍ଥା, ଇ-କମର୍ସ ଓ ତେଲ ଟାଙ୍କି ବ୍ୟତୀତ ଅନ୍ୟ ସବୁ ଅନୁଷ୍ଠାନ ବନ୍ଦ ରହିବ। କେବଳ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା କାର୍ଯ୍ୟାଳୟ ଖୋଲା ରହିବ ବୋଲି ଘୋଷଣା କରିଛନ୍ତି ଠାକରେ ।
ଉଦ୍ଧବ ଆହୁରି କହିଛନ୍ତି ଯେ ମହାରାଷ୍ଟ୍ରରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଆଉ ଏଭଳି ସ୍ଥିତିରେ କେନ୍ଦ୍ର ସରକାର ସଡକ ସହ ଆକାଶପଥରେ ମଧ୍ୟ ମହାରାଷ୍ଟ୍ରକୁ ଅକ୍ସିଜେନ ପଠାନ୍ତୁ । ଉଦ୍ଧବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାହାଯ୍ୟ କରିବାକୁ ଅପିଲ କରିଥିବାବେଳେ ବାୟୁସେନାର ସାହାଯ୍ୟ ଦେବାକୁ ଅନୁରୋଧ କରିଛନ୍ତି । ଅନ୍ୟ ରାଜ୍ୟରୁ କିଭଳି ଅମ୍ଳଜାନ ଆସିପାରିବ ସେଇଥିପାଇଁ ଭାରତୀୟ ବାୟୁସେନାକୁ ବ୍ୟବହାର କରିବାକୁ ଅନୁମତି ଦେବାକୁ ମୋଦୀଙ୍କୁ ସେ ଅପିଲ କରିଛନ୍ତି ।