କଟକ,୧୫/୪ : ଯଦି ଜଣେ କର୍ମଚାରୀ ତାଙ୍କ ଚାକିରିରେ ୬ବର୍ଷ ପୂରଣ କରୁଛନ୍ତି ତାହେଲେ ସମ୍ପୃକ୍ତ କର୍ମଚାରୀଙ୍କୁ ରାଜ୍ୟ ସରକାର ନିୟମିତ ବା ରେଗୁଲାର୍ କରିବାକୁ ବାଧ୍ୟ । ଏନେଇ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ।
ସୂଚନାନୁସାରେ, ଚାକିରୀରେ ୧୫ବର୍ଷ ପୂରଣ କରିଥିଲେ ମଧ୍ୟ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ) ଙ୍କୁ ନିୟମିତ ବା ରେଗୁଲାର୍ କରାଯିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାକୁ ବିରୋଧ କରି ନୟାଗଡର କିଛି ସ୍ୱାସ୍ଥ୍ୟକର୍ମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଉକ୍ତ ନିର୍ଦ୍ଦେଶନାମା ଆଇନତଃ ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିବା ସହ ତାହାକୁ ରଦ୍ଦ କରି ଦେଇଛନ୍ତି । ଏଥିସହ ଯେଉଁମାନେ ୬ବର୍ଷ ଚାକିରି କାଳ ପୂରଣ କରିଛନ୍ତି ସେମାନଙ୍କୁ ନିୟମିତ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ମାନସରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।