ଆସନ୍ତାକାଲିଠାରୁ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ : ରାତି ୯ରୁ ସକାଳ ୫ଟା ‌

ଭୁବନେଶ୍ୱର : କରୋନା ଭୂତାଣୁର ଦ୍ବିତୀୟ ଲହରକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ଜିଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ୧୦ଟି ଜିଲା ପାଇଁ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ସେହିପରି ସମସ୍ତେ ମାସ୍କ ପିନ୍ଧିବା ଏବଂ କରୋନା ନିୟମ କଡ଼ାକଡ଼ି ପାଳନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଓଡ଼ିଶା ସୀମା ଛତିଶଗଡ଼ରେ ଥିବା ୧୦ଟି ଜିଲାରେ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି। ଏସବୁ ଜିଲାରେ ସନ୍ଧ୍ୟା ୬ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ସେହିପରି ରାଜ୍ୟର ଅନ୍ୟ ୨୦ଟି ଜିଲାରେ ଭୁବନେଶ୍ବର ଓ କଟକ ସମତେ ନାଇଟ୍‌ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ହେବ। ତେବେ ନାଇଟ୍‌ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।

ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଓଡ଼ିଶା ସୀମାବର୍ତ୍ତୀ ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଥିଲା । କିନ୍ତୁ ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏସବୁ ଜିଲାରେ ରାତି ୯ଟା ପରିବର୍ତ୍ତେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରିବେ। ଏସବୁ ଜିଲାରେ ଥିବା ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ତଥା ସହରାଞ୍ଚଳରେ ପ୍ରତି ଶନିବାର ଓ ରବିବାର ସାପ୍ତାହନ୍ତ ସଟ୍‌ଡାଉନ୍ ଲାଗୁ ହେବ।

ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ସଂସ୍ଥାଠୁ ମିଳିଥିବା ପରିଚୟ ପତ୍ର ଦେଖାଇ ସେମାନେ ଯାତାୟତ କରିପାରିବେ। ବାର, ହୋଟେଲ ଓ ରେଷ୍ଟୁରାଣ୍ଟ ଆଦିଗୁଡ଼ିକ ନିଜର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିପାରିବ। ବିବାହ ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ। ଅଟୋ ଟ୍ୟାକ୍ସିରେ ମାତ୍ର ୨ଜଣ ଯାଇପାରିବେ ଏବଂ ବସ୍‌ରେ କେହି ଠିଆ ହୋଇ ଯାଇପାରିବେ ନାହିଁ।

ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଆସନ୍ତା ୧୯ରୁ ବନ୍ଦ ରହିବ। ଅନ୍‌ଲାଇନ୍‌ରେ ପାଠପଢ଼ା ହୋଇପାରିବ। କୋଚିଂ ସେଣ୍ଟର ମଧ୍ୟ ଅନ୍‌ଲାଇନ୍‌ କ୍ଲାସ କରିପାରିବେ। ବାହଘର ପାଇଁ ୫୦ଜଣ ଓ ଶୁଦ୍ଧିକ୍ରିୟା ପାଇଁ ୨୦ଜଣଙ୍କୁ ଅନୁମତି ଦିଆଯାଇପାରିବ। ମନ୍ଦିରରେ ରୀତିନୀତି ହେବ, ଜନସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥାରେ କଟକଣା ଲାଗୁ ହେବ। ଅନ୍ତରାଜ୍ୟ ବସଚଳାଚଳକୁ ବନ୍ଦ କରାଯାଇଥିବାବେଳେ ରାଜ୍ୟ ବାହାରୁ ଆସୁଥିବା ଓଡ଼ିଶା ଫେରନ୍ତାଙ୍କ ପାଇଁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଯେଉଁମାନଙ୍କ ପାଖରେ ଆର୍‌ଟିପିସିଆର୍‌ ​‌େ​‌ନଗେଟିଭ୍‌ ରିପୋର୍ଟ ନ ଥିବ ସେମାନଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌ରେ ରହିବାକୁ ନିର୍ଦେଶ ଦିଆଯିବ।

ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ କର୍ମଚାରୀ ୫୦ ପ୍ରତିଶତ ହ୍ରାସ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଯେତେ କମ୍‌ ସଂଖ୍ୟାରେ ଲୋକଙ୍କୁ ନେଇ କାର୍ଯ୍ୟାଳୟ ଚଳାଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବେ। କାର୍ଯ୍ୟାଳୟରେ ସମସ୍ତେ ମାସ୍କ ପିନ୍ଧି କାର୍ଯ୍ୟ କରିବେ। ବର୍ତ୍ତମାନ ୩୦ ପ୍ରତିଶତରୁ ଅଧିକ କରୋନା ଆକ୍ରାନ୍ତ ଯୁବଗୋଷ୍ଠୀର ବୋଲି ଜଣାପଡ଼ିଛି। ତେଣୁ ସମସ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମ କଡ଼ାକଡ଼ି ଭାବେ ମାନିବା ଦରକାର ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।