କରାଚୀ,୧୮ /୪: ନିଜ ଗାଦି ବଞ୍ଚାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତରୁ ଚିନି ଏବଂ କପା କିଣିବାକୁ ମନା କରିଦେଇଥିଲେ, କିନ୍ତୁ ପାକିସ୍ତାନୀ ଲୋକଙ୍କୁ ଏବେ ଏଥିପାଇଁ ଅଧିକ ମୂଲ୍ୟ ଦେବାକୁ ପଡୁଛି । ପାକିସ୍ତାନରେ ଏବେ ଚିନି ସଙ୍କଟ ଦେଖାଦେଇଛି । ଆଉ ସ୍ଥିତି ଏମିତି ହୋଇଛି ଯେ ଚିନି କିଣିବାକୁ ଲୋକ ଲମ୍ବା ଧାଡି ଲଗାଉଛନ୍ତି | ଜଣେ ବ୍ୟକ୍ତି ଚିନି କିଣିବା ପରେ ଯେଭଳି ସେ ପୁଣି ଚିନି କିଣି କଳାବଜାରୀ କରିପାରିବେ ନାହିଁ ସେଥିପାଇଁ ତାଙ୍କ ହାତରେ କଳା ଚିହ୍ନ ମଧ୍ୟ ଲଗାଯାଉଛି । ଦେବାକୁ ପଡିବ। ଆଉ ଭାରତରେ ଯେଭଳି ଭୋଟ୍ ଦେବା ପରେ କଳା ଚିହ୍ନ ଲଗାଯାଇଥାଏ, ବର୍ତ୍ତମାନ ଚିନି କିଣିବାକୁ ଆସୁଥିବା ବ୍ୟକ୍ତିଙ୍କ ହାତରେ ମଧ୍ୟ କଳା ଚିହ୍ନ ଲଗାଯାଉଛି ।
ବିଶେଷ କରି ପାକିସ୍ତାନରେ ଏବେ ରମଜାନ ମାସ ଚାଲିଛି, ଏଭଳି ପରିସ୍ଥିତିରେ ଚିନିର ଆବଶ୍ୟକତା ଆହୁରି ବଢିଚାଲିଛି । ପାକିସ୍ତାନରେ ଚିନି ମୂଲ୍ୟ ଆକାଶଛୁଆଁ ହୋଇଥିବାବେଳେ ଏବେ ମୂଲ୍ୟ କିଲୋଗ୍ରାମ ପିଛା ୧୨୦ ଟଙ୍କାରୁ ୧୫୦ ଟଙ୍କା ମଧ୍ୟରେ ରହିଛି । ଅନ୍ୟ ପଟେ ଇମ୍ରାନ ଖାନଙ୍କ ଏହି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ବାବଦରେ ତୀବ୍ର ସମାଲୋଚନା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ଝିଅ ମରିୟମ ନବାଜ ।