ଗର୍ଭବତୀ ଡିଏସପି ଆଗ ଧାଡିର କରୋନା ଯୋଦ୍ଧା, ସୋସିଆଲ ମିଡିଆରେ ପ୍ରଶଂସାର ସୂଅ

ଛତିଶଗଡ଼ ,୨୦/୪: କରୋନା ମହାମାରୀ ବିପଦ ସମୟରେ ଲୋକେ ନିଜକୁ ସୁରକ୍ଷିତ ରଖିବା ପାଇଁ ଘରେ ରୁହନ୍ତି ସେହି ସମୟରେ ରାସ୍ତାରେ କରୋନା ପ୍ରୋଟୋକଲ ପାଳନ କରୁଥିବା ଜଣେ ଡିଏସପିଙ୍କ ଫଟୋ ଭାଇରାଲ ହୋଇଛି। ଭାଇରାଲ ହେବାର କାରଣ ମହିଳା ଡିଏସପି ଗର୍ଭବତୀ ଅଛନ୍ତି ଏବଂ ହାତରେ ଲାଠି ଧରି କରୋନା ବିରୁଦ୍ଧ ଲଢେଇରେ ମୋର୍ଚ୍ଚା ସମ୍ଭାଳିଛନ୍ତି। ଗର୍ଭବତୀ ପରେ ମଧ୍ୟ ରାସ୍ତାକୁ ଓହ୍ଲାଇ ଏମିତି ପ୍ରତିକୂଳ ପରିସ୍ଥିତିରେ ଡ୍ୟୁଟି କରୁଥିବା ଡିଏସପିଙ୍କୁ ଲୋକେ ସାଲ୍ୟୁଟ କରୁଛନ୍ତି।

ସାମାଜିକ ଗଣମାଧ୍ୟମରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଡିଏସପି ଶିଳ୍ପା ସାହୁ ରାସ୍ତାରେ କିଛି ଅନ୍ୟ ଯବାନଙ୍କ ସହ ମିଶି ଲୋକଙ୍କ ଉପରେ କଡା ନଜର ରଖିଛନ୍ତି। ସେ ସଡକକୁ ବାହାରୁଥିବା ଲୋକଙ୍କୁ ଏହାର କାରଣ ପଚାରୁଛନ୍ତି। ଏଥିସହ କରୋନା ଗାଇଡଲାଇନ୍ ପାଳନ କରିବାକୁ ଅପିଲ୍ କରୁଛନ୍ତି। ଡିଏସପି ସାହୁ ଛତିଶଗଡର ନକ୍ସଲ ପ୍ରଭାବିତ ବସ୍ତର ଡିଭିଜନର ଦାନ୍ତେଓ୍ଵାଡାରେ ନିଯୁକ୍ତ ଅଛନ୍ତି।

ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳିଛି ଯେ, ମହିଳା ଡିଏସପି ହାତରେ ଲାଠି ଧରି ମୁହଁରେ ପ୍ରୋଟେକ୍ଟିଭ୍ ସିଲ୍ଡ ଲଗାଇଛନ୍ତି। ଟାଣ ଖରାରେ ଡ୍ୟୁଟି କରି ଲୋକଙ୍କୁ ପଦାକୁ ବାହାରିବାର କାରଣ ପଚାରୁଛନ୍ତି। ଏହି ଭିଡିଓ ସଭିଙ୍କ ପାଇଁ ଏକ ଉଦାହରଣ ଯେ, ଆମ ଆଗ ଧାଡିର କରୋନା ଯୋଦ୍ଧା କେଉଁ ଭଳି ନିଜ ଜୀବନକୁ ବିପଦରେ ପକାଇ ପ୍ରତି ଦିନ ଡ୍ୟୁଟି କରୁଛନ୍ତି।