ଭୁବନେଶ୍ବର,୨୦/୪ : କରୋନାର ଦ୍ବିତୀୟ ଲହର ଦେଶର ଅନେକ ଭାଗରେ ଆତଙ୍କ ସୃଷ୍ଟି କରିଛି। ମହାମାରୀ କରୋନା ଉଗ୍ରରୂପ ଧାରଣ କରୁଥିବାରୁ ଦେଶର ବିଭିନ୍ନ ସହରରେ ଲକ୍ଡାଉନ୍, ଶଟ୍ଡାଉନ୍ ଓ ୧୪୪ ଧାରା ଜାରି କରାଯାଇଛି। ଓଡ଼ିଶାରେ ପରିସ୍ଥିତି ମଧ୍ୟ ଖରାପ ଆଡକୁ ଗତି କରୁଛି। ଆଗକୁ କରୋନାର ସ୍ଥିତିକୁ ନଜରରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କରୋନା ସହ ଦ୍ୱିତୀୟ ଲଢେଇ ପାଇଁ ସମସ୍ତ ପ୍ରସ୍ତୁତି ପାଇଁ ନିର୍ଦେଶ ଦେବା ସହ କରୋନା ମୁକାବିଲା ପାଇଁ ୬ ସୂତ୍ରୀ ମନ୍ତ୍ର ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଲାଗୁ ହୋଇଛି। ତେଣୁ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ହେବ। କରୋନା ମୁକାବିଲା ପାଇଁ ସତର୍କ ରହିବାକୁ ପଡ଼ିବ। ସର୍ବାଧିକ ବେଡ୍କୁ ଅମ୍ଲଜାନ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଅମ୍ଳଜାନ କେତେ ଉପଲବ୍ଧ ଅଛି ସେଥିପ୍ରତି ଦୃଷ୍ଟି ରଖିବାକୁ ହେବ। ରାଜ୍ୟରେ ଯେଭଳି ଔଷଧ ଅଭାବ ନରୁହେ ସେଥି ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେବା ସହିତ କରୋନାର ୨ୟ ଲହର ଉପରେ ଲୋକଙ୍କୁ ଅଧିକରୁ ଅଧିକ ସଜାଗ କରିବାକୁ କହିଛନ୍ତି। ମିଶନ ଶକ୍ତି ଗ୍ରୁପ ଓ ପଂଚାୟତସ୍ତରୀୟ କର୍ମଚାରୀଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯାଇପାରିବ। ଏହାସହ କରୋନାର ଦ୍ୱିତୀୟ ଲହର ସମ୍ପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରାଯିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ପ୍ରବାସୀଙ୍କ ଫେରିବା ନେଇ ଜିଲ୍ଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ସଂଗରୋଧରେ ରଖିବା ଓ ସେମାନଙ୍କ ଟେଷ୍ଟିଂ ନିଶ୍ଚିତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । ଲକଡାଉନ୍ ବିନା କରୋନାକୁ ନିୟନ୍ତ୍ରଣ କରିବାକୁ ହେଲେ ମାସ୍କ ଜରୁରୀ । ଏହା ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ରାଜ୍ୟରେ ଅକ୍ସିଜେନ୍ ଓ ଶଯ୍ୟାର ଅଭାବ ନଥିଲେ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରିବାକୁ ସେ କହିଛନ୍ତି । ସମୀକ୍ଷା ବୈଠକରେ ସେ କହିଥିଲେ ଯେ, କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଦ୍ୱାରା ଅନେକ ରାଜ୍ୟ ସାଂଘାତିକ ପ୍ରଭାବିତ ହୋଇଛନ୍ତି । ଓଡ଼ିଶାରେ ମଧ୍ୟ ଗତ କିଛି ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଥିଲେ । ଉପଯୁକ୍ତ ପ୍ରସ୍ତୁତି ଓ ପ୍ରୋଆକ୍ଟିଭ୍ ପଦକ୍ଷେପ କାରଣରୁ ଆମେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛେ ସତ କିନ୍ତୁ ଆମକୁ ଖରାପ ପରିସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ, ଡିଜିପି, ସମସ୍ତ ଜିଲ୍ଲାପାଳ, ଏସପି ସାମିଲ୍ ଥିଲେ ।