ଦିଲ୍ଲୀରେ ଆଉ ଏକ ସପ୍ତାହ ବଢ଼ିଲା ଲକଡାଉନ : ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୫ /୪ : ନୂଆଦିଲ୍ଲୀରେ ଆଉ ଗୋଟିଏ ସପ୍ତାହ ଲକଡାଉନ ବୃଦ୍ଧି ପାଇଛି। ଆସନ୍ତା ସୋମବାର ଅର୍ଥାତ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଲକଡାଉନକୁ ମେ ୩ ​ସୋମବାର ଭୋର ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

କେଜ୍ରିଓ୍ବାଲ କହିଛନ୍ତି ଯେ, ଲକଡାଉନ ସମୟରେ ଦେଖିବାକୁ ମିଳିଛି ଯେ ସଂକ୍ରମଣ ହାର ୩୬ରୁ ୩୭ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଲା। ଦିଲ୍ଲୀରେ ଏତେ ସଂକ୍ରମଣ ଆଜି ପର୍ଯ୍ୟନ୍ତ ଦେଖାଯାଇ ନ ଥିଲା। ଗତ ଦିନେ ଦୁଇଦିନରେ ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଛି। ଆଜି ଅର୍ଥାତ୍‌ ରବିବାର ଏହା ୩୦ ପ୍ରତିଶତ ତଳକୁ ଖସିଛି। ସେ ଆହୁରି କହିଛନ୍ତି, ଆମେ ଏକ ପୋର୍ଟାଲ ଆରମ୍ଭ କରିଛୁ, ଯେଉଁଥିରେ ଅକ୍ସିଜେନ ଯୋଗାଣର ଉତ୍ତମ ପରିଚାଳନା ପାଇଁ ଅକ୍ସିଜେନ ଉତ୍ପାଦକ, ଯୋଗାଣକାରୀ ଏବଂ ହସ୍ପିଟାଲଗୁଡ଼ିକ ଦ୍ବାରା ପ୍ରତି ୨ ଘଣ୍ଟାରେ ଅପଡେଟ୍‌ କରାଯିବ। କେନ୍ଦ୍ର ଏବଂ ରାଜ୍ୟର ଟିମଗୁଡ଼ିକ ମିଳିତ ହୋଇ ଏ ଦିଗରେ କାର୍ଯ୍ୟ କରାଉଛନ୍ତି।