ଭୁବନେଶ୍ବର,୨୫ /୪: ଆଜି ରାଜ୍ୟବାସୀଙ୍କୁ ପୁଣିଥରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ, ସମସ୍ତଙ୍କୁ ମିଳିବ ମାଗଣା ଟିକା । ରାଜ୍ୟରେ ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣା ଟିକା ଦିଆଯିବ। ଏହା ବାବଦରେ ଦୁଇ ହଜାର କୋଟି ଖର୍ଚ୍ଚ ହେବ, ଯାହା ରାଜ୍ୟ ସରକାର ଦେବେ। ଟିକା ପାଇଁ ପଇସା ଦେବା ପାଇଁ ପଡ଼ିବନି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ହାତ ଯୋଡ଼ି ଜନତାଙ୍କୁ କରୋନା ନିୟମ ମାନିବାକୁ ନିବେଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ସୀମା ଟପିବାକୁ ଲାଗିଲାଣି ।ଗତବର୍ଷ ତୁଳନାରେ ଏବର୍ଷର ସ୍ଥିତି ଅତ୍ୟନ୍ତ ସାଙ୍ଘାତିକ। ତେଣୁ ପରିସ୍ଥିତିର ଭୟାବହତାକୁ ରାଜ୍ୟବାସୀ ବୁଝିବା ଦରକାର। ସମସ୍ତେ କୋଭିଡ୍ ଗାଇଡ୍ ଲାଇନକୁ ମାନନ୍ତୁ। ସମସ୍ତେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଅନ୍ତୁ। ଯଦି ଆମେ ନିଜେ ସତର୍କ ନହେବା, ତାହେଲେ ସରକାର ଏକାକୀ ଏହି ମୁକାବିଲା ବିରୋଧରେ ଲଢ଼ିପାରିବା ନାହିଁ। ଓଡ଼ିଶା ଏବେ ଛଅଟି ରାଜ୍ୟକୁ ଅମ୍ଳଜାନ ଯୋଗାଇଛି। ଆମ ପାଇଁ ପ୍ରତିଟି ଜୀବନ ଗୁରୁତ୍ୱପୂର୍ଣ୍ଣ। ଆମକୁ ଆଉ ଲକଡାଉନ୍ ଓ ସଟଡାଉନ୍ ସ୍ଥିତିକୁ ଯିବାର ନାହିଁ ବୋଲି ନବୀନ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆସନ୍ତା ୧ ତାରିଖରୁ ଆରମ୍ଭ ହେଉଥିବା ସାବାଳକ ଟିକାକରଣକୁ ରାଜ୍ୟରେ ମାଗଣା ବୋଲି ଘୋଷଣା କରିଛନ୍ତି। ଅର୍ଥାତ ୧୮ ବର୍ଷରୁ ଅଧିକ ବୟସର ଲୋକ ମାଗଣାରେ କୋଭିଡ୍ ଟିକା ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।