ଚେନ୍ନାଇ ୨୫।୦୪: ଆଇପିଏଲ୍ ପ୍ରଥମ ସୁପର ଓଭର ରେ ବାଜି ମାରି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ସୁପର ଓଭରରେ ହାଇଦ୍ରାବାଦ ପକ୍ଷରୁ ବ୍ୟାଟିଂ କରିଥିବା କେନ୍ ଓ୍ଵିଲିୟମସନ ଓ ଡେଭିଡ୍ ଓ୍ଵାର୍ଣ୍ଣର ୭ ରନ ସଂଗ୍ରହ କରିଥିଲେ। ଜବାବରେ ଦିଲ୍ଲୀ ପକ୍ଷରୁ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଶିଖର ଧାଓ୍ଵନ ଓ ଋଷଭ ପନ୍ତ ୮ ରନ କରି ଦିଲ୍ଲୀକୁ ବିଜୟୀ କରାଇଥିଲେ। ହ୍ୟାଟ୍ରିକ୍ ବିଜୟ ସହ ଦିଲ୍ଲୀ ପଞ୍ଚମ ମ୍ୟାଚ୍ରୁ ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକାର ଦ୍ଵିତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ହାଇଦ୍ରାବାଦ ପଞ୍ଚମ ମ୍ୟାଚ୍ରୁ ଚତୁର୍ଥ ପରାଜୟ ଭୋଗିଛି।
ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ପୃଥ୍ଵୀ ସଙ୍କ ୫୩ ରନ ଓ ଋଷଭ ପନ୍ତଙ୍କ ୩୭ ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୫୯ ରନ କରିଥିଲା। ଜବାବରେ କେନ୍ ଓ୍ଵିଲିୟମସନଙ୍କ ଲଢୁଆ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ବି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୯ ରନ କରି କରିଥିଲା। ଓ୍ଵିଲିୟମସନ ୬୬ ରନର ଲଢୁଆ ଇନିଂସ ଖେଳିଥିବା ବେଳେ ଜୋନି ବେୟାରଷ୍ଟୋ ୩୮ ରନର ଉଲ୍ଲେଖନୀୟ ବିସ୍ଫୋରକ ଇନିଂସ ଖେଳିଥିଲେ। ଦିଲ୍ଲୀ ପକ୍ଷରୁ ଅଭେଶ ଖାନ ୩ ଓ ଅକ୍ଷର ପଟେଲ୍ ୨ ସଫଳତା ପାଇଥିଲେ। ମ୍ୟାଚ୍ ଟାଇ ରହିବା ପରେ ମ୍ୟାଚ୍ର ଫଇସଲା ସୁପର ଓଭର ଜରିଆରେ ହୋଇଥିଲା।