କୋଲ୍କାତା,୨୬ /୪ : ଆଜି ସକାଳୁ ପଶ୍ଚିମବଙ୍ଗ ବିଧାନସଭାର ୩୪ଟି ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଆଜିର ଏହି ମତଦାନରେ ୮୬ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର୍ ୨୮୪ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ୩୪ଟି ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୂର୍ବତନ ଆସନ ଭବାନୀପୁର ରହିଛି। ଏହି ଆସନରୁ ଜିଣି ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ମମତା ବାନାର୍ଜୀ ସମ୍ପ୍ରତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ, ଏଥର ମମତା ନନ୍ଦୀଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇ ରାଜ୍ୟ ଶକ୍ତିମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ଭବାନୀପୁରରେ ଠିଆ କରାଇଛନ୍ତି। ଯଦି ଚଟ୍ଟୋପାଧ୍ୟାୟ ଜିଣନ୍ତି, ତେବେ ଏହି ଆସନରୁ ‘ତୃଣମୂଳ କଂଗ୍ରେସ’ କ୍ରମାଗତ ତୃତୀୟ ଥର ପାଇଁ ବିଜୟ ହାସଲ କରିବ।
ଏହା ବ୍ୟତିରେକେ, ଆଜିର ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟ ପ୍ରମୁଖ ପ୍ରାର୍ଥୀମାନେ ହେଲେ, ଦକ୍ଷିଣ ଆସାନସୋଲ ବିଧାନସଭା ଆସନରୁ ଲଢୁଥିବା ସାୟୋନି ଘୋଷ ଏବଂ ଅଗ୍ନିମିତ୍ର ପାଲ୍। ଉତ୍ତର ଆସାନସୋଲ୍ ବିଧାନସଭା ଆସନରୁ ଲଢୁଥିବା ରାଜ୍ୟମନ୍ତ୍ରୀ ତଥା ବରିଷ୍ଠ ‘ତୃଣମୂଳ କଂଗ୍ରେସ’ ନେତା ମଳୟ ଘାତକ ଏବଂ ପାଣ୍ଡବେଶ୍ୱରରୁ ଲଢୁଥିବା ଜିତେନ୍ଦ୍ର ତିଓ୍ଵାରି।