ନୂଆଦିଲ୍ଲୀ,୨୬/୪: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ସାକ୍ଷାତ କରିଛନ୍ତି। କରୋନା ମହାମାରୀ ପରିଚାଳନା ନେଇ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଓ ପ୍ରସ୍ତୁତି ସମ୍ପର୍କରେ ଉଭୟେ ସମୀକ୍ଷା କରିଥିଲେ। ପ୍ରତିରକ୍ଷା ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ସଶସ୍ତ୍ର ସେନାର ସମସ୍ତ ସେଚ୍ଛାକୃତ ଅବସର ନେଇଥିବା ତଥା ଗତ ଦୁଇବର୍ଷ ମଧ୍ୟରେ ଅବସର ଗ୍ରହଣ କରିଥିବା ସମସ୍ତ ଡାକ୍ତରଙ୍କୁ ସେମାନଙ୍କ ବାସସ୍ଥାନ ନିକଟବର୍ତ୍ତୀ କୋଭିଡ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟ କରିବାକୁ କୁହାଯାଇଛି। ପୂର୍ବରୁ ଅବସର ଗ୍ରହଣ କରିଥିବା ଚିକିତ୍ସକମାନଙ୍କୁ ମଧ୍ୟ ଜରୁରୀକାଳୀନ ଡାକ୍ତରସେବା ଅଧୀନରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି। ସମସ୍ତ ମେଡିକାଲ ଅଧିକାରୀ ବା ଷ୍ଟାଫ ସେନାର କମାଣ୍ଡ ମୁଖ୍ୟାଳୟ, କୋର ମୁଖ୍ୟାଳୟ, ଡିଭିଜନ ମୁଖ୍ୟାଳୟ ଓ ସେହିପରି ନୌସେନା ଓ ବାୟୁସେନା ମୁଖ୍ୟାଳୟକୁ ହସ୍ପିଟାଲରେ ନିୟୋଜିତ ରହିବାକୁ କୁହାଯାଇଛି।
ହସପିଟାଲରେ ଡାକ୍ତରଙ୍କ ସହାୟତା ନିମନ୍ତେ ସେବିକାମାନଙ୍କୁ ମଧ୍ୟ ବହୁ ସଂଖ୍ୟାରେ ମୁତୟନ କରାଯାଇଛି। ସେନାର ବିଭିନ୍ନ ସ୍ଥାନରେ ନିୟୋଜିତ ଅମ୍ଳଜାନ ସିଲିଣ୍ଡର ହସ୍ପିଟାଲ ପାଇଁ ପଠାଯାଇଛି। ପ୍ରତିରକ୍ଷା ମୁଖ୍ୟ ଆହୁରି କହିଥିଲେ ଯେ, ଯେଉଁଠାରେ ଦରକାର ସାମରିକ ମେଡିକାଲ ସୁବିଧା ସେ ସ୍ଥାନରେ ଉପଲବ୍ଧ ହେବ। ଦେଶ ଓ ଦେଶ ବାହାରେ ଆବଶ୍ୟକ ସ୍ଥଳେ ଅମ୍ଳଜାନ ପରିବହନ ପାଇଁ ବାୟୁସେନାର ପ୍ରସ୍ତୁତି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। କେନ୍ଦ୍ରୀୟ ଓ ରାଜ୍ୟ ସୈନିକ କଲ୍ୟାଣ ବୋର୍ଡ ଓ ଅଧିକାରୀ ଯେଉଁ ମୁଖ୍ୟାଳୟ ଗୁଡିକରେ ଅଛନ୍ତି ସେମାନେ ମଧ୍ୟ ଅଗମ୍ୟ ଅଞ୍ଚଳରେ ଯଥା ସମ୍ଭବ ଭେଟ୍ରାନ ସେଲ ପକ୍ଷରୁ ସେବା ଯୋଗାଇ ଦିଆଯିବ ସେଥିନେଇ ଦେଖିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରତିରକ୍ଷା ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।