ଆଇପିଏଲ୍‌ ମହାସମର : ପଞ୍ଜାବ କିଙ୍ଗ୍ସକୁ ୫ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ

ଅହମ୍ମଦାବାଦ,୨୬/୪: କୋଲକାତା ନାଇଟ୍ ରାଇଡର୍ସର କ୍ରମାଗତ ଚାରୋଟି ମ୍ୟାଚ୍ ହାରିବା ପରେ ଶେଷରେ ବିଜୟ ମାର୍ଗକୁ ଫେରିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ୨୧ତମ ମୁକାବିଲାରେ ଇଅନ ମୋର୍ଗାନଙ୍କ ଅଧିନାୟକତ୍ଵ ଇନିଂସ ଦମ୍‌ରେ କୋଲକାତା ପଞ୍ଜାବ କିଙ୍ଗ୍ସକୁ ୫ ଓ୍ଵିକେଟ୍‌ରେ ପରାସ୍ତ କରି ଷଷ୍ଠ ମ୍ୟାଚ୍‌ରୁ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ପଞ୍ଜାବ ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ଭୋଗିଛି।

ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୯ ଓ୍ଵିକେଟ୍ ହରାଇ ୧୨୩ ରନ କରିଥିଲା। ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ଵାଲ ୩୧ ରନ କରିଥିବା ବେଳେ କ୍ରିସ୍ ଜୋର୍ଡାନ ୧୮ ବଲ୍‌ରୁ ଦ୍ରୁତ ୩୦ ରନ କରିଥିଲେ। ଜବାବରେ ଇଅନ ମୋର୍ଗାନଙ୍କ ଅପରାଜିତ ୪୭ ଏବଂ ରାହୁଲ ତ୍ରିପାଠୀଙ୍କ ୪୧ ରନ ଜରିଆରେ କୋଲକାତା ୧୬.୪ ଓଭରରେ ୫ ଓ୍ଵିକେଟ୍ ହରାଇ ୧୨୬ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଛି। ଦିନେଶ କାର୍ତ୍ତିକ ୬ ବଲ୍‌ରୁ ୧୨ ରନ କରି ଅପରାଜିତ ଥିଲେ।

କୋଲକାତା ନାଇଟ୍‌ ରାଇଡର୍ସ ୧୨୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆରମ୍ଭରୁ ଝଟକା ଲାଗିଥିଲା। ୫ ରନ ସ୍କୋରରେ ନୀତିଶ ରାଣା(୦) ବିଦାୟ ନେଇଥିଲେ। ଶୁବମାନ ଗିଲ୍‌(୯ ରନ) କରି ଆଉଟ୍ ହୋଇଥିଲେ। ପୁଣି ୧୭ ରନ ସ୍କୋରରେ ସୁନିଲ ନାରିନେ(୦) ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଲେ ୧୭ ରନରେ ୩ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିବା କୋଲକାତାକୁ ଅଧିନାୟକ ଇଅନ ମୋର୍ଗାନ ଓ ରାହୁଲ ତ୍ରିପାଠୀ ସାହା ହୋଇଥିଲେ। ଦୁଇ ବ୍ୟାଟସମ୍ୟାନ ସଂଯମତାର ସହ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍‌ରେ ୬୬ ରନ ଯୋଡି ଦଳର ବିଜୟ ପାଇଁ ମାର୍ଗ ପ୍ରଶସ୍ତ କରିଥିଲେ।

୩୨ ବଲ୍‌ରୁ ୪୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ରାହୁଲ ତ୍ରିପାଠୀ ଆଉଟ୍ ହୋଇଥିଲେ। ଏହା ପରେ ଆନ୍ଦ୍ରେ ରସେଲ(୧୦) ରନ ଆଉଟ୍ ହୋଇଥିଲେ। ୯୮ ରନରେ ୫ ଓ୍ଵିକେଟ୍ ହାସଲ କରିଥିଲେ ମଧ୍ୟ ପଞ୍ଜାବ ପାଇଁ ଏହା ପର୍ଯ୍ୟାପ୍ତ ହୋଇନଥିଲା। ମୋର୍ଗାନ ଓ ଦିନେଶ କାର୍ତ୍ତିକ ଔପଚାରିକତା ପୂରଣ କରିଥିଲେ। କୋଲକାତା ୧୬.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ମୋର୍ଗାନ ୪୦ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୭ ଓ ଦିନେଶା କାର୍ତ୍ତିକ ୧୨ ରନରେ ଅପରାଜିତ ଥିଲେ।