ଭୁବନେଶ୍ବର,୨୮ /୪: ରାଜ୍ୟରେ ପ୍ରଥମ ଲହରରେ କରୋନା ମୁକାବିଲାରେ ସଫଳ ହୋଇଥିଲେ ରାଜ୍ୟବାସୀ । ଦ୍ବିତୀୟ ଲହରରେ ମଧ୍ୟ ସତର୍କ ରହିଲେ କରୋନାର ମୁକାବିଲା କରିପାରିବା । ଏନେଇ ପରାମର୍ଶ ଦେଇଛନ୍ତି ଅଭିଜ୍ଞ ଡାକ୍ତର । ଦ୍ୱିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ସଂକ୍ରମଣ କରୁଛି। ଭୂତାଣୁ ଅଧିକ ସମୟ ବାୟୁମଣ୍ଡଳରେ ରହୁଥିବାରୁ ମାସ୍କର ସଠିକ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା। ଟିକା ନେଇଥିଲେ ମଧ୍ୟ ପୁନଃ ସଂକ୍ରମିତ ହେବାର ଆଶଙ୍କା ଅଛି ବୋଲି ସେ କହିଛନ୍ତି। କିନ୍ତୁ ଏହି ସଂକ୍ରମଣ ଏତେଟା କ୍ଷତିକାରକ ହେବ ନାହିଁ । ଟିକା ନେଇଥିବା ବ୍ୟକ୍ତିମାନେ ସଂକ୍ରମିତ ହେଲେ ଗୁରୁତର ହେବାର ସମ୍ଭାବନା କମ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ସଂପର୍କିତ ବୈଷୟିକ ପରାମର୍ଶଦାତା ଡ.ଜୟନ୍ତ ପଣ୍ଡା ।
ଏଣୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ସେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଏକମାତ୍ର ନିରାପଦ ଉପାୟ ହେଲା ମାସ୍କ ବ୍ୟବହାର। ଘରେ କିମ୍ବା ଗାଡ଼ି ଚାଳନା ବେଳେ ମଧ୍ୟ ମାସ୍କର ବ୍ୟବହାର ଅନିବାର୍ୟ୍ୟ । ଯୁବଗୋଷ୍ଠୀଙ୍କ ଚଳପ୍ରଚଳ ଅଧିକ ଥିବାରୁ ସେମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ । ଏଣୁ ଡବଲ ମାସ୍କ ବ୍ୟବହାର ଉପରେ ସେ ଗୁରୁତ୍ବରୋପ କରିଛନ୍ତି । ଅନ୍ୟପଟେ ଡାକ୍ତର ସଂପଦ ଦାସ କହିଛନ୍ତି, ନୂଆ ଭୂତାଣୁର ଲକ୍ଷଣ ଭିନ୍ନ ରହିଛି ।
ତେବେ ନୂଆ ଭୂତାଣୁର ଚିକିତ୍ସା ପାଇଁ ଅକ୍ସିଜେନ ବ୍ୟବହାର ଅଧିକ ଦରକାର ରହୁଛି । ନୂଆ ଭୂତାଣୁ ଦ୍ବାର ସବୁ ବର୍ଗର ଲୋକ ଆକ୍ରାନ୍ତ ହେଉଛନ୍ତି । କୋଭିଡରେ ଆକ୍ରାନ୍ତ ଥିଲେ ହୋମ ଆଇସୋଲେନସରେ ରୁହନ୍ତୁ । ଭୟଭୀତ ନହୋଇ ଅଯଥାରେ ଡାକ୍ତରଖାନାରେ ଭିଡ ନଜମାଇବାକୁ ସେ ପରାମର୍ଶ ଦେଇଛନ୍ତି । ଯଦି ସମସ୍ୟା ରୁହେ ତେବେ କୋଭିଡ ହେଲପ ଲାଇନକୁ ଯୋଗାଯୋଗ କରିବାକୁ ସେ କହିଛନ୍ତି । ଗତଥର ଭଳି ସମସ୍ତ ନିୟମାବଳୀ ମାନି ରହିଲେ କୋଭିଡକୁ ମାତ ଦେଇହେବ ବୋଲି କହିଛନ୍ତି ଡାକ୍ତର ସଂପଦ ଦାସ ।