ଭାରତର ସମସ୍ତ ଲୋକଙ୍କୁ ମୁର୍ଖ ଭାବୁଥିବା ସରକାରଙ୍କ ବିରୋଧରେ ଜନତା ବିଦ୍ରୋହ କରିଦେବା ଦରକାର : ପି. ଚିଦାମ୍ବରମ

ନୂଆଦିଲ୍ଲୀ, ୨୮/୪: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଏକ ମନ୍ତବ୍ୟକୁ ନେଇ କଂଗ୍ରେସ ହର୍ଷବର୍ଦ୍ଧନ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି । କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ ଭାରତବାସୀଙ୍କୁ ମୁର୍ଖ ଭାବୁଥିବା ସରକାରଙ୍କ ବିରୋଧରେ ଜନତା ବିଦ୍ରୋହ କରିବା ଦରକାର। ଅନ୍ୟପଟେ ଦଳ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ହର୍ଷବର୍ଦ୍ଧନଙ୍କ ଇସ୍ତଫା ଦାବି କରିଛନ୍ତି।ଚିଦାମ୍ବରମ ଟ୍ବିଟ୍‌ କରି ଲେଖିଛନ୍ତି, ‘ମୁଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସେହି ମନ୍ତବ୍ୟରେ ଦୁଃଖିତ, ଯେଉଁଥିରେ ସେ କହିଛନ୍ତି ଅକ୍ସିଜେନ୍‌, ଭ୍ୟାକସିନ୍‌ ଏବଂ ରେମଡେସିଭରରେ ଅଭାବ ନାହିଁ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନଥଙ୍କ ବୟାନରେ ଆକ୍ରୋଶ ପ୍ରକାଶ କରୁଛି ଯେ, ରାଜ୍ୟରେ ଟିକାର ଅଭାବ ନାହିଁ।’ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନ୍ୟ ଏକ ଟ୍ବିଟ୍‌ରେ ଲେଖିଛନ୍ତି, ଟିଭି ଚ୍ୟାନେଲ୍‌ କଣ ଭୁଲ ଭିଜୁଆଲ୍‌ ଚଲାଉଛନ୍ତି ? ଖବରକାଗରେ ପ୍ରକାଶିତ ଖବର କଣ ମିଥ୍ୟା ? ସମସ୍ତ ଡାକ୍ତର କଣ ମିଛ କହୁଛନ୍ତି ? କଣ ସମସ୍ତ ପରିବାର ସଦସ୍ୟ ମିଛ ତଥ୍ୟ ଦେଉଛନ୍ତି ? ସମସ୍ତ ଭିଡିଓ ଏବଂ ଫଟୋ କଣ ମିଛ ? ଭାରତର ସମସ୍ତ ଲୋକଙ୍କୁ ମୁର୍ଖ ବୋଲି ଭାବୁଥିବା ସରକାର ବିରୋଧରେ ଲୋକମାନେ ବିଦ୍ରୋହ କରିବା ଦରକାର ବୋଲି ସେ ଲେଖିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳାବର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ଓ୍ବେବିନାରରେ କହିଥିଲେ ୨୦୨୧ରେ ଦେଶ ଗତବର୍ଷ ତୁଳନାରେ ମହାମାରୀକୁ ହରାଇବା ପାଇଁ ଅଧିକ ଅନୁଭବ ସହିତ ମାନସିକ ଏବଂ ଭୌତିକ ଭାବେ ପ୍ରସ୍ତୁତ ରହିଛି।

କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ‘ହସ୍ପିଟାଲରେ ଚିକିତ୍ସା ମିଳିପାରୁ ନାହିଁ। ଅକ୍ସିଜେନର ଅଭାବ ଜାରି ରହିଛି। ଲୋକେ ତ୍ରାହିମାମ୍‌ କରୁଛନ୍ତି। ଶ୍ମଶାନ ଏବଂ କବରସ୍ଥାନରେ ଯାଗା ମିଳୁନି। ଏପରି ପରିସ୍ଥିତିରେ ସ୍ବାସ୍ଥ୍ୟମନ୍ତ୍ରୀ କହୁଛନ୍ତି ଚଳିତ ବର୍ଷର ସ୍ଥିତି ଗତବର୍ଷ ଅପେକ୍ଷା ଭଲ ଅଛି।’ ଏହା ସହ ସେ ଆହୁରି ଅଭିଯୋଗ କରିଛନ୍ତି ଦେ, ସ୍ବାସ୍ଥ୍ୟମନ୍ତ୍ରୀ ମାନବିକତାର ମୂଳଧର୍ମ ଭୁଲି ଯାଇଛନ୍ତି। ସତ୍ତାର ଅହଂକାର ଏତେ ଅଧିକ ଅଛି ଯେ ସେ ଲୋକଙ୍କ ବେଦନାକୁ ଭୁଲିଯାଇଛନ୍ତି। ହର୍ଷବର୍ଦ୍ଧନଙ୍କ ଭିତରେ ନୈତିକତା ନାହିଁ ଯଦି ସେ ଇସ୍ତଫା ଦିଅନ୍ତୁ। ତାଙ୍କୁ ଯଥାଶୀଘ୍ର ବରଖାସ୍ତ କରିଦେବା ଦରକାର ବୋଲି ସୁପ୍ରିୟା କହିଛନ୍ତି।