ଗୁଜରାଟରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରିବ ରିଲାଏନ୍ସ ଫାଉଣ୍ଡେସନ୍‌

ଗୁଜରାଟ,୨୯ /୪: ଗୁଜରାଟର ଜାମନଗରଠାରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରିବ ରିଲାଏନ୍ସ ଫାଉଣ୍ଡେସନ । ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ ଏବଂ ଏହି କୋଭିଡ୍ ଚିକିତ୍ସାଳୟ ସ୍ଥାପନା ଓ ଏହାର ପରିଚାଳନା ବାବଦ ସମସ୍ତ ଖର୍ଚ୍ଚ ରିଲାଏନ୍ସ ବହନ କରିବ। ଏକ ସପ୍ତାହ ମଧ୍ୟରେ ଜାମନଗରଠାରେ ଥିବା ସରକାରୀ ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ଓ ହସପିଟାଲ ପରିସରରେ ୪୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ। ଏହାର ପରବର୍ତ୍ତି ଦୁଇ ସପ୍ତାହ ମଧ୍ୟରେ ଜାମନଗରର ଅନ୍ୟ ଏକ ସ୍ଥାନରେ ଆଉ ୬୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ।

ଏଥିପାଇଁ ଆବଶ୍ୟକ ମାନବସମ୍ବଳ, ଚିକିତ୍ସାଗତ ସହାୟତା, ଉପକରଣ, ଏବଂ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ରିଲାଏନ୍ସ ଯୋଗାଇଦେବ। ଏହି ହସ୍‌ପିଟାଲରେ ଡାକ୍ତର ଏବଂ ନର୍ସିଂ କର୍ମଚାରୀ ନିୟୋଜିତ ହେବା ଦିଗରେ ରାଜ୍ୟ ସରକାର ସମନ୍ୱୟ ରକ୍ଷାକରି କାର୍ୟ୍ୟକରିବେ। ଏହି ହସ୍‌ପିଟାଲ ଜାମନଗର, ଖମ୍ଭାଲିଆ, ଦ୍ୱାରକା, ପୋରବନ୍ଦର ଏବଂ ସୌରାଷ୍ଟ୍ରର ଅନ୍ୟାନ୍ୟ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ।