ଅନୁଗୋଳ,୯ /୫ : ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ପଞ୍ଚାୟତର ମାଝିଗୋହିରାପଶି ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ କରୋନା ଭୟରେ ପରିବାର କିମ୍ବା ଗ୍ରାମବାସୀ କେହି ପାଖ ମାଡିଲେ ନାହିଁ। ଶେଷରେ ନିଜେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ବୃଦ୍ଧଙ୍କ ପୁତ୍ର ସହ ପିପିଇ କିଟ ପିନ୍ଧି କୋକେଇରେ ମୃତଦେହକୁ ଶ୍ମଶାନକୁ ନେଇ ସତ୍କାର କରିଥିବା ଜଣାଯାଇଛି। ମୃତକ ହେଲେ ମାଝିଗୋହିରାପଶି ଗ୍ରାମର ଗୋବିନ୍ଦ ମାଝି ବୟସ (୬୫)।
ଏହି ଘଟଣା ଆଜି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପଟେ ମୃତ୍ୟୁ ପରେ ଏପରି ଅସହଯୋଗ ପାଇଁ ପରିବାର ଓ ଗ୍ରାମବାସୀ ଦୂରେଇ ଯାଇଥିବାରୁ ଏହାର ଦୃଢ଼ ନିନ୍ଦା କରାଯାଉଥିବାବେଳେ ବିଡିଓ ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ଶବ ସତ୍କାର କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଉଛି।