କଟକ,୧୨ /୫ : କଟକ ବାଲିସାହି ଅଞ୍ଚଳରେ ଆଜି ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ବସ୍ତିବାସିନ୍ଦାମାନେ ପୁଲିସ ଗାଡ଼ି ଭାଙ୍ଗିବା ସହିତ ସେଠାରେ ନିୟୋଜିତ ମ୍ୟୁନିସପାଲିଟି କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି। ବସ୍ତିବାସିନ୍ଦାଙ୍କ ଆକ୍ରମଣରେ ୫ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ବସ୍ତିବାସିନ୍ଦା ପୁଲିସ ଅଧିକାରୀ ଓ ପ୍ରଶାସନର ଅନ୍ୟ ଅଧିକାରୀମାନଙ୍କୁ ମଧ୍ୟ ଗୋଡ଼ାଗୋଡ଼ି କରିବା ସହିତ ପଥର ଫିଙ୍ଗିଛନ୍ତି। ବିଳମ୍ବିତ ରାତି ଯାଏ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।
ସୂଚନା ଅନୁଯାୟୀ ତାଳଦଣ୍ଡା କେନାଲ ରାସ୍ତା ସଂପ୍ରସାରଣ ପାଇଁ କେନାଲ ପାର୍ଶ୍ବରେ ରହୁ ଥିବା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରି ଅସ୍ଥାୟୀ ଭାବେ ନୂଆପଡ଼ା ବାଲିସାହି ଅଞ୍ଚଳରେ ଥଇଥାନ କରାଯାଇଛି। ଦିନେ ଦୁଇଦିନ ହେଲା ବର୍ଷା ପବନ ଯୋଗୁଁ ବସ୍ତିବାସିନ୍ଦା ସମସ୍ୟାରେ ଥିବାବେଳେ ଆଜି ଦିନ ପ୍ରାୟ ୧୨.୩୦ରେ ଆରମ୍ଭ ହୋଇଥିଲା କାଳବୈଶାଖୀ । ବର୍ଷା ପବନରେ ବାଲିସାହିରେ ରହୁଥିବା ପ୍ରାୟ ଚାରି ଶହ ପରିବାରଙ୍କ ଟେଣ୍ଟ ଉଡିଯାଇଥିଲା। ନୂଆପଡ଼ାରେ ରହୁଥିବା ତିନି ଜଣ ଲୋକଙ୍କ ଉପରେ ଟେଣ୍ଟ ଗଳିପଡିଥିଲା। ଏଭଳି ସ୍ଥିତିରେ ବସ୍ତି ବାସିନ୍ଦା ସେଠାରେ ମହାନଗର ନିଗମ ପକ୍ଷରୁ ନିୟୋଜିତ ହୋଇଥିବା କର୍ମଚାରୀ ମାନଙ୍କୁ ମେଡିକାଲ ନେବାକୁ କହିବାରୁ ମହାନଗର ନିଗମର କର୍ମଚାରୀ ମାନେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ବର୍ଷା ଯୋଗୁଁ ଆମ୍ବୁଲାନ୍ସ ବିଳମ୍ବରେ ଆସିବା ଯୋଗୁଁ ସେଠାରେ ପାଟିତୁଣ୍ଡ ହେବା ସହିତ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେଠାରେ କାମ କରୁଥିବା ଦୁଇ ଜଣ ମ୍ୟୁନିସପାଲିଟି କର୍ମଚାରୀଙ୍କୁ ବସ୍ତି ବାସିନ୍ଦା ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିବା ବେଳେ ସେଠାରେ ଏକ ବୋଲେରୋ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ।
ମହାନଗର ନିଗମ ପକ୍ଷରୁ ଏ ସଂକ୍ରାନ୍ତରେ ମଧୁପାଟଣା ପୁଲିସକୁ ଖବର ଦିଆ ଯିବାପରେ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ପହଞ୍ଚି ଥିଲା। କିନ୍ତୁ ବସ୍ତି ଲୋକେ ବନ୍ଧ ଉପରକୁ ଉଠି ଆସି ପୁଲିସ ଗାଡିକୁ ଟେକାପଥର ମାରିବା ସହ ପୁଲିସ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ। ଥାନା କର୍ମଚାରୀଙ୍କୁ ଠେଙ୍ଗା ଧରି ଗୋଡ଼ାଇଥିଲେ। ବସ୍ତିବାସିନ୍ଦା ରାସ୍ତା ଉପରେ ଧାରଣ ଦେବାରୁ କମିସନରେଟ ପୁଲିସର କିଛି ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚି ବୁଝାସୁଝା କରିଥିଲେ।