ଚାଷୀଙ୍କୁ ମୋଦିଙ୍କ ଅକ୍ଷୟ ତୃତୀୟା ଭେଟି

ନୂଆଦିଲ୍ଲୀ: ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମ‌ୋଦୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର (ପିଏମ୍‌-କିଷାନ୍‌) ଅଷ୍ଟମ କିସ୍ତିରେ ୯.୫ କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୨୦, ୦୦୦ କୋଟିରୁ ଅଧିକ ଅର୍ଥରାଶି ଟ୍ରାନ୍‌ସ୍‌ଫର୍‌ କରିଛନ୍ତି।

ଅର୍ଥରାଶି ରିଲିଜ୍‌ କରିସାରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାଦ୍ବାରା ଉପକୃତ କେତେ ଜଣ ହିତାଧିକାରୀଙ୍କ ସହ ଆଳାପ କରିଥିଲେ। ଜୈବିକ ପଦ୍ଧତିରେ ଚାଷ କରିବା ନିମନ୍ତେ ଖଣ୍ଡେ ଟାଙ୍ଗରା ଭୂଇଁକୁ ଉପଯୁକ୍ତ କରିଥିବା ଆନ୍ଧ୍ରପ୍ରଦେଶର ଜଣେ ମହିଳା-କୃଷକଙ୍କ ସହ ଆଳାପ କରୁଥିବା ବ‌େଳେ ପ୍ରଧାନମନ୍ତ୍ରୀ କହିଲେ, ଆପଣ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଆପଣଙ୍କ ଆତ୍ମବିଶ୍ବାସ ହିଁ ଆପଣଙ୍କ ସାମର୍ଥ୍ୟ ଏବଂ ଅଭିଜ୍ଞତା କଥା ବଖାଣୁଛି।

ଉକ୍ତ ଜମି ଖଣ୍ଡକରେ ବର୍ଷକୁ ତିନି କିସମର ଫସଲ ଉତ୍ତାରୁଛନ୍ତି ବୋଲି ମହିଳା-କୃଷକଜଣକ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ କହିଲେ, ‘ପିଏମ୍‌-କିଷାନ୍‌’ ଯୋଜନାରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ୭ ଲକ୍ଷରୁ ଊର୍ଦ୍ଧ୍ବ କୃଷକ ଉପକୃତ ହେବେ। ସେମାନଙ୍କୁ ଟ. ୨୦୦୦/- ଲେଖାଏଁ ଆର୍ଥିକ ସହାୟତା ମିଳିବ।