ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ‘କୋଭିସିଲ୍ଡ’ ଟିକାର ଦ୍ବିତୀୟ ଅବଧି ସମୟକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୬ ସପ୍ତାହ ବା ୪୨ଦିନ ଥିବା ବେଳେ ଏବେ ଏହାକୁ ୧୨ ସପ୍ତାହ ବା ୮୪ଦିନକୁ ବୃଦ୍ଧି କରାଯାଇଛି। ତେଣୁ ଆଜି ମଧ୍ୟରାତ୍ରରୁ କୋ-ୱିନ୍ ପୋର୍ଟାଲରେ ଦ୍ବିତୀୟ ଅବଧିରେ ପରିବର୍ତ୍ତନ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ୮୪ ଦିନ ପୂର୍ବରୁ ଦ୍ବିତୀୟ ଡୋଜ୍ ଟିକା ନେବାକୁ ଚାହୁଥିବା ବ୍ୟକ୍ତିମାନେ ଆଉ ଟିକା ନେଇପାରିବେ ନାହିଁ।
ଅପରପକ୍ଷରେ ଯେଉଁମାନେ ଦ୍ବିତୀୟ ଡୋଜ୍ ପାଇଁ କୋ-ୱିନ୍ରେ ଆବେଦନ କରି ସାରିଛନ୍ତି, ସେମାନଙ୍କୁ ପୁନର୍ବାର ଟିକା ନେବା ପାଇଁ ଆବେଦନ କରିବା ଲାଗି ସୂଚନା ଦିଆଯିବ। ଯେଉଁମାନେ ଟିକା ନେବା ପାଇଁ ଆବେଦନ କରିସାରିଛନ୍ତି, ସେମାନଙ୍କୁ କୋ-ୱିନ୍ରେ ଟିକା ନେବାର ସୁଯୋଗ ମିଳିବ। ଏ ଦୃଷ୍ଟିରୁ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ଓ ୪୫ ବର୍ଷରୁ ଅଧିକ ଲୋକମାନଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ଉପରେ ଜିଲ୍ଲାସ୍ତରରେ ଗୁରୁଦ୍ବ ଦିଆଯାଉ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାମାନଙ୍କୁ ସୂଚନା ଦିଆଯାଇଛି।