ବଣ୍ଡାଘାଟିକୁ ଛୁଇଁଲା କରୋନା, ୧୨ ଜଣ ବଣ୍ଡା ଜନଜାତି କରୋନା ସଂକ୍ରମିତ
ମାଲକାନଗିରି,୧୬ /୫: ବିଶ୍ଵକୁ କରୋନା ମହାମାରୀ ଗ୍ରାସ କରି ଚାଲିଥିବା ବେଳେ ଏହି ସଂକ୍ରମଣରୁ ସୁରକ୍ଷିତ ଥିଲେ ବହୁ ପୁରାତନ ଆଦିମ ବଣ୍ଡା ଜନଜାତି । ଗତ ବର୍ଷ କରୋନାର ପ୍ରଥମ ଲହର ବଣ୍ଡା ଘାଟିକୁ ଛୁଇଁ ପାରିନଥିବା ବେଳେ ବହୁ ବିଳମ୍ବରେ ଚଳିତ ବର୍ଷର ଦ୍ଵିତୀୟ ଲହରର କରୋନା ସଂକ୍ରମଣ ଏବେ ବଣ୍ଡା ଘାଟିରେ ଦେଖିବାକୁ ମିଳିଛି। ଗତ ସପ୍ତାହକ ମଧ୍ୟରେ ୧୨ ଜଣ ଆଦିମ ବଣ୍ଡା ଜନଜାତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି।
କରୋନା ସମୟରେ ବଣ୍ଡାଘାଟିକୁ ବାହାରର ଲୋକମାନଙ୍କୁ ପ୍ରବେଶ ମନା ଥିବା ବେଳେ ଏବେ ସେମାନେ ଆନ୍ଧ୍ର ଷ୍ଟ୍ରେନ୍ ଦ୍ଵାରା ସଂକ୍ରମିତ ହୋଇଛନ୍ତି। ଖଇରପୁଟ ବ୍ଲକ ସ୍ଥିତ ମୁଣ୍ଡାଗୁଡା ଠାରେ ବଣ୍ଡାମାନଙ୍କ ସାପ୍ତାହିକ ହାଟକୁ ବନ୍ଦ କରାଯାଇଥିବାରୁ ସେମାନେ ବାଧ୍ୟ ହୋଇ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଓ ପ୍ରସାଧନ ସାମଗ୍ରୀ ପାଇଁ ପୁନ୍ତିମାଳି ବଣ୍ଡା ଘାଟି ଅଣ୍ଡ୍ରାହଲ ପାର ହୋଇ ଆନ୍ଧ୍ର ପ୍ରଦେଶର ଅନାକାଡଲି ହାଟକୁ ଯାଇଥାନ୍ତି। ସେହି ହାଟରୁ ବଣ୍ଡାମାନେ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି।