ନୂଆଦିଲ୍ଲୀ,୧୬/୫: ଉଗ୍ରରୂପ ନେଇ ମାଡିଆସୁଛି ବାତ୍ୟା ‘ତଉକାତେ’ । ଏବେ ଏହା ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇଛି । ଛଅ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ମାଡି ଆସୁଛି । ଗୋଆର ଦକ୍ଷିଣରୁ ପ୍ରାୟ ୧୯୦ କିଲୋମିଟର ଏବଂ ମୁମ୍ବାଇ ଠାରୁ ୫୫୦ କିଲୋମିଟର ଦୂରରେ, ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ଭେରାଭାଲ୍ (ଗୁଜୁରାଟ) ଏବଂ କରାଚିରେ ଉତ୍ତର କେନ୍ଦ୍ରୀୟ ଆରବ ସାଗର ଉପକୂଳରେ ଏହା କେନ୍ଦ୍ରୀଭୂତ ହୋଇଛି ।
ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ବାତ୍ୟା ଅଗ୍ରସର ହେଉଛି । ‘ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକର ରୂପ ନେବ । ମେ’ ୧୮ ଅପରାହ୍ନରେ ପୋରବନ୍ଦର ଓ ନଲିଆ ମଧ୍ୟରେ ଗୁଜରାଟ ତଟରେ ବାତ୍ୟା ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । IMD କହିଛି ଯେ ସେହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେଣୁ ମୁମ୍ବାଇ ଭଳି ସହର ଅଧିକ ପ୍ରଭାବିତ ହେବ ନାହିଁ ।
୧୭ ମେରେ ମୁମ୍ବାଇ ସମେତ ଉତ୍ତର କୋଙ୍କଣର କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହେବ । IMD ବରିଷ୍ଠ ନିର୍ଦ୍ଦେଶକ ଶୁଭନୀ ଭୁଟେ କହିଛନ୍ତି ଯେ ରବିବାର ଅପରାହ୍ନରୁ ମହାରାଷ୍ଟ୍ରର ରାଜଧାନୀରେ ବର୍ଷା ହୋଇପାରେ । ବର୍ତ୍ତମାନ ଘୂର୍ଣ୍ଣିବଳୟ ଗୋଆଠାରୁ ୨୫୦ କିଲୋମିଟରେ ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ବାତ୍ୟାର ମୁକାବିଲା ତଥା ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା ଏବଂ ବିଦ୍ୟୁତ୍, ଟେଲିକମ୍, ସ୍ୱାସ୍ଥ୍ୟ ଯୋଗାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।