ଚତୁର୍ଥୀ ହୋମ ନିଆଁ ନ ଲିଭୁଣୁ, ଲିଭିଗଲା ବରର ଜୀବନ

କେନ୍ଦ୍ରାପଡା,୧୬ /୫ : ଚତୁର୍ଥୀ ହୋମ ନିଆଁ ଲିଭିନି । କନ୍ୟା ପାଦରୁ ଅଳତା ଛାଡ଼ିନି । ହାତରେ ମେହେନ୍ଦି ସତେଜ ଅଛି । ହେଲେ ମଥାରୁ ଲିଭିଗଲା ସିନ୍ଦୂର । ଭାଙ୍ଗିଗଲା ହାତରୁ ଶଙ୍ଖା । ସଂସାର ଗଢ଼ିବା ଆଗରୁ ଉଜୁଡ଼ିଗଲା । ଚତୁର୍ଥୀ ବାସି ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇ ବର ପ୍ରାଣ ହରାଇବା ପରେ କନ୍ୟାର ସବୁ ସ୍ୱପ୍ନ, ଆଶା, ଆକାଂକ୍ଷା ଭାଙ୍ଗି ଚୂର୍‌ମାର୍‌ ହୋଇଗଲା । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାଜକନିକା ବ୍ଲକ ହଟସାହି ଗ୍ରାମପଞ୍ଚାୟତ ଦୁର୍ଗାଦେଇ ପଡ଼ାର ଦୀପୁ ଚଳିତ ମାସ ୯ ତାରିଖ ଦିନ ସମ୍ପୃକ୍ତ ବ୍ଲକର ଓଲାଭର ପଂଚାୟତ ଦେଉଳି ସାହି ଗ୍ରାମର ଯୁବତୀକୁ ବିବାହ କରିଥିଲେ l

ଦୀପୁ ବେଙ୍ଗାଲୁରୁ ଛାଡ଼ିବା ବେଳେ କୋଭିଡ୍‌ ପରୀକ୍ଷା (ଆଣ୍ଟିଜେନ୍‌) କରିଥିଲେ । ରିପୋର୍ଟ ନେଗେଟିଭ୍‌ ଆସିଥିଲା । ସେ ଘରେ ପହଞ୍ଚିବାର କିଛି ଦିନ ପରେ ଅଚାନକ ତାଙ୍କ ଦେହ ଅସୁସ୍ଥ ହେବା ଆରମ୍ଭ କରିଥିଲା । ଥଣ୍ଡାଜ୍ୱର ଲାଗିରହିବା ସହ କାଶ ହୋଇଥିଲା । ବାହାଘରର ପାରମ୍ପରିକ ରୀତିନୀତି ଭିତରେ ଏକାଧିକ ବାର ଗାଧୋଇବା ଯୋଗୁଁ ତାଙ୍କ ଦେହ ଖରାପ ହୋଇଥିବ ବୋଲି ଘର ଲୋକେ ଭାବିଥିଲେ । ତେଣୁ ଦୀପୁ ଔଷଧ କିଣି ଖାଇଥିଲେ । ହେଲେ ଥଣ୍ଡା, ଜ୍ୱର କମିନଥିଲା । ବରଂ ଦିନକୁ ଦିନ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ ।

୧୨ ତାରିଖରେ ଥିଲା ଚତୁର୍ଥୀ । ଅସୁସ୍ଥତା ସତ୍ତେ୍ୱ ଚତୁର୍ଥୀ ପିଣ୍ଡ ପଡ଼ି ହୋମ ହୋଇଥିଲା । ଚତୁର୍ଥୀ ବାସି ସକାଳେ ଦୀପୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ପରିବାର ଲୋକେ ତାଙ୍କୁ ନେଇ ଯାଜପୁର ମେଡିକାଲକୁ ଯାଇଥିଲେ । ହେଲେ ସେଠାରେ ଚିକିତ୍ସାରେ ରହିବା ପରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ପରିବାର ସଦସ୍ୟମାନେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେଇଯିବା ପାଇଁ ଯୋଗାଯୋଗ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏଣେ ଦୀପୁଙ୍କ ଶବ ତାଙ୍କ ଘରେ ପହଞ୍ଚିବା ଆଗରୁ ତାଙ୍କ ଶ୍ୱଶୂର ଘର ଲୋକେ ନବବିବାହିତା ଝିଅକୁ ନିଜ ଘରକୁ ନେଇ ଯାଇଥିଲେ । ଦୀପୁଙ୍କର କରୋନା ପଜିଟିଭ୍‌ ବୋଲି ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଓ ବିଭିନ୍ନ ଲୋକ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ଅଦ୍ୟାବଧି କଣ୍ଟାକ୍ଟ ଟ୍ରେସିଂ କରାଯାଇନଥିବା, ଦୀପୁ ଓ ତାଙ୍କ ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହୋଇ ନଥିବା ଅଭିଯୋଗ ଉଠିଛି ।