ଲକ୍ଷ୍ନୌ,୧୬/୫ : ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ମେ ୨୪ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ‘କର୍ଫ୍ୟୁ’ ବଢ଼ାଇବା ଲାଗି ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏପ୍ରିଲ ୨୪ ତାରିଖ ଦିନ ପ୍ରଥମେ ଉତ୍ତର ପ୍ରଦେଶ ସରକାର ରାଜ୍ୟରେ କର୍ଫ୍ୟୁ ଜାରି କରିଥିଲେ। ପରେ ତାହା ମେ ୧୦ ଓ ମେ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
କୋଭିଡ୍-୧୯ ପରିସ୍ଥିତି ସମୀକ୍ଷା କରିବା ଲାଗି ରାଜ୍ୟର ଶୀର୍ଷସ୍ତରୀୟ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଭର୍ଚ୍ୟୁଆଲ୍ ବୈଠକ କରିବାର ଦିନକ ପରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହାସହିତ ସ୍ଥାନୀୟ ଖାଉଟି ସାମଗ୍ରୀ ବିକ୍ରେତା, ଦୋକାନୀ ଏବଂ ବୁଲାବିକାଳିଙ୍କ ଗୁଜୁରାଣ ମେଣ୍ଟାଇବାକୁ ଉତ୍ତର ପ୍ରଦେଶ ସରକାର ୧୦୦୦ ଟଙ୍କା ଭତ୍ତା ଏବଂ ଆଗାମୀ ତିନି ମାସ ପାଇଁ ‘ରେସନ୍’ ଘୋଷଣା କରିଛନ୍ତି।