ସମ୍ବଲପୁର,୧୮/୫: ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଫୁଲ ଦେବା ବାହାନାରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ହେବା ପରେ ପୋଲିସ୍ ଏକ ମାମଲା ରୁଜୁ କରି ସେହି ଅଞ୍ଚଳର ଅଲେଖ ସାହୁ(୪୫) ନାମକ ବ୍ୟକ୍ତିକୁ ଗିରଫ କରି ଘଟଣାର ତଦନ୍ତ କରୁଛି । ସେପଟେ, ନାବାଳିକାର ଡାକ୍ତରୀମାଇନା କରାଯିବା ସହ କୋର୍ଟରେ ବୟାନ୍ ରେକର୍ଡ କରାଯାଇଛି ।
ଅଭିଯୋଗ ଅନୁସାରେ, ନାବାଳିକା ଜଣକ ସବୁଦିନ ସକାଳୁ ଆଖପାଖ ଅଞ୍ଚଳକୁ ଫୁଲ ତୋଳିବାକୁ ଯାଆନ୍ତି । ଅଭିଯୁକ୍ତ ଅଲେଖ ଭଡ଼ା ରହୁଥିବା ସ୍ଥାନକୁ ନାବାଳିକା ଜଣକ ଫୁଲ ଆଣିବାକୁ ନିୟମିତ ଯାଉଥିଲେ । ତେବେ ୨ ଦିନ ତଳେ ନାବାଳିକା ଘର ସାମ୍ନାରେ ବୁଲୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ଫୁଲ ନେବାକୁ ଘରକୁ ଡାକିଥିଲା । ଏହି ସମୟରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ଅଭିଯୁକ୍ତ ଫୁଲ ଜରି ନେଇ ବାଥରୁମ୍ରେ ରଖିବା ସହ ତାଙ୍କୁ ଭିତରକୁ ଆସି ନେଇଯିବାକୁ କହିଥିଲା । ନାବାଳିକା ଭିତରକୁ ଯିବା ପରେ ଅଭିଯୁକ୍ତ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ସହ ଦୁ୍ଷ୍କର୍ମ ଉଦ୍ୟମ କରିଥିଲା ।
ତେବେ ନାବାଳିକା କୌଣସି ମତେ ଘଟଣାସ୍ଥଳରୁ ଖସି ଆସିଥିଲେ । ମାତ୍ର ମାନସିକସ୍ତରରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଘର ଲୋକେ ପଚାରିବା ପରେ ସେ ଘଟଣା ସମ୍ପର୍କରେ ଜଣାଇବାରୁ ପୁଲିସ୍ରେ ଏନେଇ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।