ବାୟୁରେ ୩୦ ଫୁଟ ପର୍ଯ୍ୟନ୍ତ ଯାଇପାରେ କରୋନା ଭୂତାଣୁ, ନୂଆ ନିର୍ଦେଶାବଳୀ ଆଣିଲେ ସରକାର

ନୂଆଦିଲ୍ଲୀ,୨୦/୫: ବାୟୁ ଚଳାଚଳ ସୁଗମ ହେଲେ ଭୂତାଣୁ ସଂଚାରଣକୁ ରୋକାଯାଇ ପାରିବ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ। ଏହା ସହିତ ମହାମାରୀ ବିରୋଧୀ ଲଢ଼େଇ ପାଇଁ ରାଘବନଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂତନ ନିର୍ଦେଶାବଳୀ ମଧ୍ୟ ଜାରି କରାଯାଇଛି।

ନିକଟରେ ରାଘବନ ଟ୍ବିଟ୍‌ କରି କହିଥିଲେ ଯେ, ଜଣେ ବ୍ୟକ୍ତି ଟିକା ନେଇଥାନ୍ତୁ କିମ୍ବା ନେଇ ନ ଥାନ୍ତୁ, କିନ୍ତୁ ତାଙ୍କୁ ୩ଟି ନିୟମ ଆଦୌ ଭୂଲିବା ଅନୁଚିତ। ଗୋଟିଏ ହେଉଛି ମାସ୍କ, ୨ୟଟି ଶାରିରୀକ ଦୂରତା ଏବଂ ଅନ୍ୟଟି ହେଉଛି ପର୍ଯ୍ୟାପ୍ତ ବାୟୁ ଚଳାଚଳ ବା ଭେଣ୍ଟିଲେଶନ।

ନିର୍ଦେଶାବଳୀରେ କୁହାଯାଇଛି ଯେ, ବାୟୁ ଚଳାଚଳ ସୁଗମ ଥିଲେ ସେଥିରେ ଯେମିତି ଗନ୍ଧ ମିଳେଇଯାଏ, ଠିକ ସେହିପରି ଯଦି ବାହାର ପବନ ଘର ଭିତରକୁ ଠିକ୍‌ ଭାବେ ଚଳପ୍ରଚଳ କରେ, ତେବେ ଭୂତାଣୁର ବିପଜ୍ଜନକ ସାନ୍ଦ୍ରତାକୁ ହ୍ରାସ କରାଯାଇପାରେ। ଏଥିରେ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋକପାତ ମଧ୍ୟ କରାଯାଇଛି। ସବୁଠାରୁ ବଡ କଥା ହେଲା ଜଣେ କରୋନା ସଂକ୍ରମିତ ଛିଙ୍କିଲେ ବା କାଶିଲେ, ଛିଙ୍କ ବା କାଶର ଡ୍ରପ୍ଲେଟ ୨ମିଟର ପର୍ଯ୍ୟନ୍ତ ଯାଉଥିବା ବେଳେ ଏହାର ଏରୋସୋଲ୍ ବାୟୁରେ ୧୦ମିଟର ପର୍ଯ୍ୟନ୍ତ ଯାଇପାରେ । ଏଭଳି ସ୍ଥିତିରେ ଯଦି ଘରେ ବା ଅଫିସରେ ସଠିକ ଭାବେ ବାହାର ବାୟୁ ଭିତରକୁ ଏବଂ ଭିତର ବାୟୁ ବାହାରକୁ ଯାଉଛି ତେବେ ସଂକ୍ରମଣର ଆଶଙ୍କା କାମ ହୋଇଯାଇଥାଏ । ଯଦି ଆପଣ ନିବୁଜ ଘରେ ରହୁଛନ୍ତି ବା ଝରକା ଏବଂ କବାଟ ବନ୍ଦ କରି ରଖୁଛନ୍ତି ତେବେ ଏରୋସୋଲ୍ ବାହାରକୁ ନଯାଇପାରି ଆପଣଙ୍କୁ ସହଜରେ ସଂକ୍ରମିତ କରିପାରିବ । ଏନେଇ ଘରେ ବା ଅଫିସରେ ବାୟୁ ନିଷ୍କାସିତ କରୁଥିବା ଫ୍ୟାନ ଲଗାଇବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

ଏହାବ୍ୟତୀତ ନିର୍ଦେଶାବଳୀରେ ଦର୍ଶାଯାଇଛି ଯେ, ଘରେ ପଙ୍ଖା କେଉଁ ସ୍ଥାନରେ ରଖାଯିବା ଉଚିତ ତାହା ବି ଗୁରୁତ୍ଵପୂର୍ଣ୍ଣ। କାରଣ ପଙ୍ଖାକୁ କୌଣସି ଏଭଳି ସ୍ଥାନରେ ରଖିବା ଅନୁଚିତ, ଯାହାଦ୍ବାରା ଦୂଷିତ ବାୟୁ ସିଧାସଳଖ କୌଣସି ବ୍ୟକ୍ତି ନିକଟକୁ ପ୍ରବାହିତ ହେବ। ସେହପରି ଯଦି କୌଣସି ଘରର ଝରକା, କବାଟ ବନ୍ଦ ରହିଛି, ତେବେ ଭିତର ବାୟୁକୁ ବାହାରକୁ ନେଉଥିବା ଏକ୍‌ଜଷ୍ଟ ପଙ୍ଖା ଚାଲୁ ରହିବା ଉଚିତ। ଏହା ଦ୍ବାରା ଘର ଭିତରେ ସଂକ୍ରମଣ ଆଶଙ୍କାକୁ ହ୍ରାସ କରାଯାଇ ପାରିବ।

କାର୍ଯ୍ୟସ୍ଥଳଗୁଡ଼ିକ ପ୍ରତି ମଧ୍ୟ ନିର୍ଦେଶାବଳୀରେ ଧ୍ୟାନ ଦିଆଯାଇଛି। ଯେକୌଣସି କାର୍ଯ୍ୟସ୍ଥଳରେ ଚଉଡ଼ା ଝରକା ଏବଂ କବାଟକୁ ଖୋଲା ରଖାଯିବା ଦରକାର। ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଲଗାଯାଇଥିବା ଦରକାର। ଯାହାଫଳରେ ସ୍ବଚ୍ଛ ବାୟୁ ଚଳାଚଳ କରିପାରିବ ଏବଂ ସଂକ୍ରମଣ ଆଶଙ୍କା ହ୍ରାସ ପାଇପାରିବ।