ପଶ୍ଚିମବଙ୍ଗରେ ବଢ଼ିଲା ଲକ୍ଡାଉନ୍
କୋଲକାତା: ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କରିବା ପାଇଁ ସରକାର ଆଜି ଘୋଷଣା କରିଛନ୍ତି। ରାଜ୍ୟରେ ଚାଲିଥିବା ଲକ୍ଡାଉନ୍ ଆସନ୍ତା ୩୦ ତାରିଖରେ ଶେଷ ହେବା କଥା। ହେଲେ ଏହା ଆଉ ୧୫ ଦିନ ବଳବତ୍ତର ରହିବ ବୋଲି ନବାନ୍ନ ସୂତ୍ରରୁ କୁହାଯାଇଛି।
ନୂଆ ଘୋଷଣା ଅନୁସାରେ ପୂର୍ବ ଭଳି ବସ୍, ଟ୍ରାମ୍ ଓ ଲୋକାଲ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ରାଜ୍ୟର ସମସ୍ତ ସ୍କୁଲ୍, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମାର୍କେଟ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ଯାଏଁ ଖୋଲା ରହିବ। ଅନ୍ୟସବୁ ନିୟମ ପୂର୍ବଭଳି ପାଳନ କରିବାକୁ ହେବ। ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ। ବିବାହ ଉତ୍ସବରେ ୫୦ ଜଣ ସାମିଲ ହୋଇପାରିବେ। ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି ମିଳିବ। ପୂର୍ବରୁ ଝୋଟକଳରେ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଉତ୍ପାଦନ ପାଇଁ ଅନୁମତି ମିଳିଥିଲା। ହେଲେ ଏଥର ଏହାକୁ ୪୦%କୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଆହୁରି ଘୋଷଣା କରିଛନ୍ତି, ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଟିକାକରଣ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ। ପ୍ରଥମେ ରିକ୍ସାଚାଳକ, ପରିବାବାଲା, ମାଛବିକାଳି, ଦୋକାନୀମାନଙ୍କୁ ଟିକା ଦିଆଯିବ।