କେନ୍ଦ୍ରାପଡା,୨୮/୫: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଗୁଚାପ ବାତ୍ୟା ୟାସର ରୂପ ନେବାରୁ ଉପକୂଳ ଓଡ଼ିଶାରେ ୨ ଦିନ ପ୍ରବଳ ବର୍ଷା ଲାଗି ରହିବା ସହିତ ଉପକୂଳବାସୀଙ୍କ ପାଇଁ ସତର୍କ ସୂଚନା ରହିଥିଲା l ମାତ୍ର ୟାସ ତାର ଗତିପଥ ବଦଳାଇବାରୁ କେନ୍ଦ୍ରାପଡା ଜିଲ୍ଲା ଅଳ୍ପ କିଛି ବେଗର ପବନ ଓ ବହୁତ ପରିମାଣ ବର୍ଷାର ଶିକାର ହୋଇଥିଲା l ଖରାଦିନ ହୋଇବି ଶୁଖିଲା ନଈ ପୋଖରୀ ଆଦି ବର୍ଷା ଜଳରେ ଭରପୁର ହୋଇଯାଇଥିଲା l ଏପରିକି ଚାଷ ଜମି, ଦଣ୍ଡା ଗହୀର, ଗାଁ ଗଣ୍ଡା ବି ଜଳମଗ୍ନ ହୋଇଉଥିଲା l ଆଜି ସୁଦ୍ଧା ବି ଖାଲୁଆ ଅଂଚଳ ମାନଙ୍କରେ ଅନେକ ପରିବାର ଜଳମଗ୍ନ ହୋଇ ନାନାଦି ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି l ଖାଲି ସମୁଦ୍ର କୁଳିଆ କାହିଁକି ଶୁଖିଲା ନଦୀ କୁଳିଆ ଗ୍ରାମବାସୀ ବି ମେ’ ମାସରେ ସାମୁଦ୍ରିକ ଝଡ଼ ଜନିତ ବର୍ଷା ଜଳରେ ଉବୁ ଟୂବୁ ହେଉଛନ୍ତି l
ଏହିଭାବେ କେନ୍ଦ୍ରାପଡା ଜିଲ୍ଲା ପ୍ରମୁଖ ବନ୍ୟାଞ୍ଚଳ ଭାବେ ଜଣାଶୁଣା ଆଳି ବ୍ଲକ ଖରାଦିନେ କ୍ଷଣିକ ବନ୍ୟାର ଶିକାର ହେଲା ଭଳି ଅନୁମେୟ ହେଉଛି l ସମ୍ପୃକ୍ତ ବ୍ଲକର ପଦନୀପାଳ ପଂଚାୟତ ବାସି ରାଜକନିକାକୁ ବ୍ଲକ ଅଂଚଳକୁ ନିତି ଦିନିଆ ଯାତାୟାତର ଆବଶ୍ୟକତା ରହିଛି l ଏନେଇ ପ୍ରଶାସନ ନିକଟରେ ସ୍ଥାୟୀ ପୋଲ ପାଇଁ ଦାବି କରି ଆସୁଥିଲେବି ଏଯାବତ ଲୋକେ ଗାଁ ଗଣ୍ଡାରୁ ଆଦାୟ କରି ନିର୍ମିତ କାଠ ବାଉଁଶର ଅସ୍ଥାୟୀ ପୋଲ ଉପରେ ଯାତାୟତ କରିଆସୁଛନ୍ତି l କିନ୍ତୁ ବୈତରଣୀ ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲଟି ଚଳିତ ବର୍ଷା ଜଳରେ ଭାସି ଯିବାରୁ ଯାତାୟତ ଠପ ହୋଇଯାଇଛି l ପଂଚାୟତ ବାସୀଙ୍କ ଗମନା ଗମନର ସୁଧାର ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ପଂଚାୟତ ବାସୀ ଦାବିକରନ୍ତି l