ନୂଆଦିଲ୍ଲୀ : କୋଭିଡ୍-୧୯ ମହମାରୀରେ ଅନାଥ ହୋଇଥିବା ଶିଶୁମାନଙ୍କୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ ସହାୟତା ଉପଲବ୍ଧ କରାଯିବ ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହି ପିଲାମାନଙ୍କ ପାଇ ‘ପିଏମ୍ କେୟାର୍ସ ଫର୍ ଚିଲ୍ରେନ୍’ ଯୋଜନା ମାଧ୍ୟମରେ ସହାୟତା ମିଳିବ। ପିଲାମାନଙ୍କୁ ସରକାର ମାଗଣା ଶିକ୍ଷା ସୁବିଧା ସହିତ ସ୍ବାସ୍ଥ୍ୟବୀମା ଉପଲବ୍ଧ କରାଇବେ। ୧୮ ବର୍ଷ ହେବାପରେ ସେମାନଙ୍କୁ ମାସିକ ଷ୍ଟାଇପେଣ୍ଡ୍ ପ୍ରଦାନ କରାଯିବ ଏବଂ ୨୩ ବର୍ଷ ହେଲା ପରେ ପିଏମ୍ କେୟାର୍ସ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ମିଳିବ। ଏହି ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଇଁ ଶିକ୍ଷା ଋଣ ନିଆଗଲେ ପିଏମ୍ କେୟାର୍ସ ଏହାର ସୁଧ ବାବଦ ଅର୍ଥ ପରିଶୋଧ କରିବ। ଆୟୁଷ୍ମାନ ଭାରତ ଯୋଜନାରେ ପିଲାମାନଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟ ବୀମା ମିଳିବ ଏବଂ ଏହାର ପ୍ରିମିୟମ ପିଏମ୍ କେୟାର୍ସ ଦ୍ବାରା ଦିଆଯିବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେଏ ବାବଦରେ ଅନୁଷ୍ଠିତ ବୈଠକରେ କୋଭିଡ୍ରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ସହାୟତା ପ୍ରଦାନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଭଳି ଶିଶୁଙ୍କ ଯତ୍ନ ନେବା ଆମର ସାମାଜିକ ଦାୟିତ୍ବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କୋଭିଡ୍ରେ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କ ପାଇଁ ପୂର୍ବରୁ ମଧ୍ୟ କେତେକ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି। ତେବେ ପିଏମ୍ କେୟାର୍ସ ପାଣ୍ଠିରୁ ମିଳିବାକୁ ଥିବା ଏହି ସହାୟତା ପିଲାମାନଙ୍କ ଭବିଷ୍ୟତ ଗଠନରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। କୋଭିଡ୍ରେ ଅନାଥ ଶିଶୁଙ୍କୁ ତତ୍କାଳ ସହାୟତା ଯୋଗାଇ ଦେବାକୁ ଗତକାଲି ସୁପ୍ରିମ୍ କୋର୍ଟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।। ଏ ବାବଦରେ ଶୁଣାଣି କରି ସୁପ୍ରିମ୍ କୋର୍ଟ କହିଥିଲେ ଶିଶୁମାନଙ୍କୁ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ କରିବା ସହ ରାଜ୍ୟମାନେ ତଦନୁଯାୟୀ ତତ୍କାଳ ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ସହାୟତା ଯୋଗାଇ ଦେବେ। ମାର୍ଚ ୨୦୨୦ରୁ ଆଜି ପର୍ଯ୍ୟନ୍ତ ପିତା-ମାତାଙ୍କୁ କୋଭିଡ୍ରେ ହରାଇଥିବା ସମସ୍ତ ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କ ବାବଦରେ ଏନ୍ସିପିସିଆର୍ ୱେବ୍ସାଇଟ୍ରେ ତଥ୍ୟ ପ୍ରଦାନ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।