ଭୁବନେଶ୍ଵର, ୩୧/୫: ରାଜ୍ୟରେ ଆଶା ଅନୁଯାୟୀ ସଂକ୍ରମଣ ନକମିବାରୁ ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍ଡାଉନ୍ ଅବଧି ଜୁନ ୧୭ ସକାଳ ୫ଟା ଯାଏଁ ବଢା ଯାଇଛି। ଏଥିସହ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ। ସଟ୍ଡାଉନ୍ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ଜାରି ରହିବ। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରବିବାର ଘୋଷଣା କରିଛନ୍ତି।
ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୬ ଦିନ ଅର୍ଥାତ ଜୁନ ୧୭ ସକାଳ ୬ଟା ଯାଏଁ ଲକ୍ଡାଉନ୍ ଅବଧି ଲାଗୁ କରାଯାଇଛି। ହେଲେ ଲକ୍ଡାଉନ୍ ସମୟରେ ଟିକାକରଣ ସହ ଜରୁରୀକାଳୀନ ସେବା ଜାରି ରହିବ। ସପ୍ତାହାନ୍ତ ସଟ୍ଡାଉନ୍ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ୬ଟା ଯାଏଁ କରାଯାଇଛି। ପୂର୍ବ ଲକ୍ଡାଉନ୍ରେ ଜାରି ସମସ୍ତ କଟକଣା ପୂର୍ବ ପରି ଜାରି ରହିବ। ପୂର୍ବ ଘୋଷଣାରେ ଯାହା କଟକଣାମୁକ୍ତ ତାହା ଜାରି ରହିବ। ଉଲ୍ଲେଖନୀୟ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନି। ବାତ୍ୟା ଯୋଗୁଁ ଟେଷ୍ଟିଂ କମିଥିବାରୁ ସଂକ୍ରମିତ ସଂଖ୍ୟାରେ ହ୍ରାସ ଘଟିଛି।