କେନ୍ଦ୍ରାପଡା,୩୧ /୫: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଉ ବ୍ଲକ ଅଂଚଳର ଦରବଛା ଗାଁର ବିବାହିତା ମହିଳା ସ୍ୱମୀ ଓ ପୁଅକୁ ଛାଡି ପ୍ରେମିକ ପାଖକୁ ଯାଇ ହଟହଟା ହୋଇଥିବାର ଜଣାପଡିଛି l ମାର୍ଶାଘାଇ ଥାନା ଅଧିନସ୍ଥ ଦରବଛା ଗାଁର ଉତ୍ତମ ବାରିକଙ୍କ ପତ୍ନୀ ଶାଳୀନ ଗୋଟିଏ ପୁଅର ମା’ ହେବାପରେ ବି ସ୍ଥାନୀୟ ଅଂଚଳର ମନୋରଞ୍ଜନ ଦାସଙ୍କୁ ଭଲ ପାଇଁ ବସିଥିଲେ l ଉଭୟ କିଛିଦିନ ଦାମ୍ପତ୍ୟ ଜୀବନ ଅତିବାହିତ କରିବାପରେ ବି ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇପଡି ଥିଲେ l ଏନେଇ ସ୍ୱାମୀଙ୍କ ଉପରୁ ଆଶା ତୁଟାଇ ମନୋରଞ୍ଜନଙ୍କ ହାତ ଧରି ବଳକା ଜୀବନ ବିତାଇବାକୁ ଚାହୁଁଥିବାର ଶାଳୀନ କୁହନ୍ତି l ମନୋରଞ୍ଜନ ଓ ଶାଳୀନଙ୍କ ମଧ୍ୟରେ ପ୍ରେମ ବନ୍ଧନ ସୁଦୃଢ ହେବାରୁ ମହିଳା ଜଣକ ୮ /୧୦ ଦିନ ତଳୁ ଜନ୍ମିତ ପୁତ୍ରକୁ ସାଥିରେ ଧରି ଉତ୍ତମଙ୍କୁ ଏକାକୀ ଛାଡି ଚାଲି ଯାଇଥିଲେ l
ମାତ୍ର ପ୍ରଥମେ ପ୍ରଥମେ ପୁଅକୁ ସାଥିରେ ରଖିବା ନେଇ ପ୍ରେମିକ ଅମଙ୍ଗ ହେଉନଥିବା ବେଳେ ପରେ ପୁଅକୁ ଛାଡିଆସ ନଚେତ ମୋତେ ଛାଡ଼ ବୋଲି ପ୍ରେମିକ ପ୍ରବର ପ୍ରେମିକାଙ୍କୁ ସୂଚାଇଦେଇଥିଲେ l ପ୍ରେମିକ ଛାଡ଼ିଦେବା କଥା ଉଠାଇବାରୁ ଶାଳୀନ ନିଜର ପୁଅକୁ ଉତ୍ତମ ଘର ସମ୍ମୁଖରେ ଛାଡି ଚାଲିଯାଇଥିଲେ l ପ୍ରେମ ନିଶାରେ ପଡି ଅନ୍ଧୁଣି ସାଜିଥିବା ବିବାହିତା ମହିଳା ଜଣକ ଏକପକ୍ଷରେ ପୁତ୍ର ସ୍ନେହ ଓ ମାତୃତ୍ୱ କୁ ଜଳାଞ୍ଜଳି ଦେଇ ପାଗଳି ପ୍ରେମିକା ପାଲଟିଥିଲେ l କିନ୍ତୁ ଚତୁର ପ୍ରେମିକ ମହିଳାଙ୍କ ଅନୁପସ୍ଥିତିରେ ଛପି ଯିବାରୁ ପ୍ରେମିକା ପ୍ରେମିକକୁ ସନ୍ଧାନ ନପାଇ ହତୋତ୍ସାହିତ ହୋଇପଡିଥିଲେ l ଏପରିକି ନ୍ୟାଯ୍ୟ ଦାବି ପାଇଁ ସରପଞ୍ଚ ଓ ୱାର୍ଡ ସଭ୍ୟ ଓ ମାର୍ଶାଘାଇ ଥାନାରେ ମୌଖିକ ଅଭିଯୋଗ କରିଥିବାର ଜଣାପଡିଛି l ମନୋରଞ୍ଜନ ଯେଉଁଠି ଥାଆନ୍ତୁ ଖୋଜି ବାହାର କରି ମୋତେ ତାଙ୍କ ସାଥିରେ ଯିବାକୁ ଦିଆଯାଉ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ମୁଖ୍ୟତଃ ସ୍ୱାମୀଙ୍କ ନିର୍ଯ୍ୟାତନାକୁ ସାମନା କରିବାକୁ ମହିଳାଙ୍କ ବାପl ଓ ମା’ ନଥିବାରୁ ରାଜରାସ୍ତାରେ ନିଜର ସାହାରା ଖୋଜୁଛନ୍ତି ବିବାହିତା ମହିଳା l