ଭୁବନେଶ୍ୱର,୧୦/୬ : ଆଉ ତିନି ଦିନ ପରେ ଓଡ଼ିଶାର ଗଣପର୍ବ ‘ରଜ’ ପାଳନ ହେବ । ଏଥି ପାଇଁ ଲୋକେ ନିଜକୁ ପ୍ରସ୍ତୁତି କରୁଥିବା ବେଳେ କରୋନା ଭାଇରସ ମହାମାରୀ ସଂକଟ ଆଣିଛି । କରୋନା କାଳରେ ରଜ କିଭଳି ପାଳନ କରାଯାଇପାରିବ ସେ ନେଇ କମିସନରେଟ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ କୋଭିଡ ସଂପର୍କିତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶବନ୍ତ ଜେଠୱା ପରାମର୍ଶ ଦେଇଛନ୍ତି, କରୋନା ନିୟମ ମାନି ପର୍ବପର୍ବାଣୀ ପାଳନ କରିବା ।
କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ଯେ, କରୋନାର ୨ୟ ଲହର ଆରମ୍ଭ ହେବା ଠାରୁ କଡ଼ା ପଦକ୍ଷେପ ନିଆଯାଇଛି । ୨ ମାସ ଭିତରେ ପ୍ରାୟ ୪ ଲକ୍ଷ ୭୬ ହଜାର ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଭିନ୍ନ ଜିଲ୍ଲାରୁ ୧୪ କୋଟି ୫୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ପ୍ରାୟ ୩ ହଜାର ୫ଶହ ଦୋକାନ ଓ ବଜାର ସିଲ କରାଯାଇଛି । କୋଭିଡ ନିୟମ ଉଲ୍ଲଂଘନ ନେଇ ୨୭୮ ମାମଲା ରୁଜୁ ହୋଇଛି । ୩୩୨ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ୨୯ ହଜାର ଗାଡ଼ି ଜବତ କରାଯାଇଛି ।