ସାବଧାନ! ୬-୮ ସପ୍ତାହ ମଧ୍ୟରେ ଆସୁଛି ତୃତୀୟ ଲହର

ନୂଆଦିଲ୍ଲୀ: ମହାମାରୀ କରୋନାର ତୃତୀୟ ଲହର ୬ରୁ ୮ ସପ୍ତାହ ମଧ୍ୟରେ ଭାରତରେ କାୟା ବିସ୍ତାର କରିବ। ତୃତୀୟ ଲହର ଭାରତକୁ ଆସିବା ନିଶ୍ଚିତ ବୋଲି ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ କହିଛନ୍ତି।

ଡା ଗୁଲେରିଆ କହିଛନ୍ତି, ମହାମାରୀ କରୋନାର ତୃତୀୟ ଲହର ଆସିବା ନିଶ୍ଚିତ। କିନ୍ତୁ ଏହାର ପ୍ରଭାବ ନିର୍ଭର କରିବ ଲୋକମାନଙ୍କ ବ୍ୟବହାର ଓ ଆଚରଣ ଉପରେ । ପ୍ରଥମ ଓ ଦ୍ୱତୀୟ ଲହରରୁ ଆମେ ଅନେକ କିଛି ଶିଖିଛୁ। ତଥାପି ଲୋକମାନେ ବୁଝିବାକୁ ନାରାଜ। ଲୋକେ ସତର୍କ ନ ହେଲେ ସ୍ଥିତି ଭୟଙ୍କର ହେବ । ସେ ଆହୁରି କହିଛନ୍ତି, ମୋ ମତରେ ଭାଇରସକୁ ପୁଣି ଶକ୍ତି ସଂଗ୍ରହ କରି ଜାତୀୟ ସ୍ତରରେ ସଂକ୍ରମଣ ବୃଦ୍ଧି କରିବାକୁ କିଛି ସମୟ ଲାଗିବ।

୬ରୁ ୮ ସପ୍ତାହ କିମ୍ବା ତା’ର ସାମାନ୍ୟ ବିଳମ୍ବରେ କରୋନାର ତୃତୀୟ ଲହର ଦେଶରେ ସଂକ୍ରମଣ ବୃଦ୍ଧି କରିପାରେ। ଲୋକମାନେ କଟକଣା କେତେ ମାନୁଛନ୍ତି ଓ ଭିଡ଼ କେତେ କମୁଛି, ତା’କୁ ଦେଖିବାର ଅଛି। ଏଥିସହ ସେ ଟିକାକରଣ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ କହିଛନ୍ତି।