ଜୁନ ଶେଷ ସୁଦ୍ଧା ପ୍ୟାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ ନକଲେ ଅଚଳ ହେବ ଏସବିଆଇ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୧୯ /୬ : ଜୁନ ମାସ ଶେଷ ସୁଦ୍ଧା ପରମାନେଣ୍ଟ ଆକାଉଣ୍ଟ ନମ୍ବର (ପ୍ୟାନ୍) କାର୍ଡ ଆଧାର କାର୍ଡ ସହିତ ଲିଙ୍କ ହେବା ଜରୁରୀ। ଯଦି ଆପଣ ଏଭଳି କରିନାହାନ୍ତି ତେବେ ଜୁନ ମାସ ଶେଷ ସୁଦ୍ଧା କରାଇନିଅନ୍ତୁ । କାରଣ ଜୁନ ୩୦ପରେ ଆଧାର କାର୍ଡ ସହିତ ଲିଙ୍କ ନଥିବା ପ୍ୟାନ୍ କାର୍ଡଗୁଡ଼ିକ ଅଦରକାରୀ ହୋଇଯିବ। ଯଦି କୌଣସି ବ୍ୟକ୍ତି ଆଧାର ନମ୍ବରକୁ ପ୍ୟାନ ସହ ଲିଙ୍କ କରିବାରେ ବିଫଳ ହୁଏ, ତେବେ ନିୟମ ଅନୁଯାୟୀ ଏପରି ବ୍ୟକ୍ତିଙ୍କୁ ଦିଆଯାଇଥିବା ପ୍ୟାନ ନମ୍ବର କାର୍ଯ୍ୟକ୍ଷମ ହେବ ନାହିଁ ।

ଏନେଇ ଏସବିଆଇ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ, କୌଣସି ଅସୁବିଧାକୁ ଏଡାଇବା ପାଇଁ ଏବଂ ଆମର ବ୍ୟାଙ୍କିଙ୍ଗ୍ ସେବାକୁ ଅନବରତ ଉପଭୋଗ କରିବା ପାଇଁ ଆମେ ଆମର ଗ୍ରାହକମାନଙ୍କୁ ସେମାନଙ୍କର ପ୍ୟାନ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବାକୁ ପରାମର୍ଶ ଦେଉଛୁ । ଯଦି କୋୖଣସି ଗ୍ରାହକ ପ୍ୟାନ କାର୍ଡ ଆଧାର ସହିତ ଜୁନ ୩୦ପୂର୍ବରୁ ଲିଙ୍କ୍ ନକରନ୍ତି, ତେବେ ସେମାନଙ୍କ ପ୍ୟାନ କାର୍ଡ ନିଷ୍କ୍ରିୟ ହୋଇଯିବା ସହ ନିର୍ଦ୍ଦିଷ୍ଟ କାରବାର କରିବା ପାଇଁ ବ୍ୟବହାର ହୋଇପାରିବ ନାହିଁ ।