ନୂଆଦିଲ୍ଲୀ : ବିଭିନ୍ନ ବ୍ୟାଙ୍କକୁ ଠକି ବିଦେଶ ପଳାଇଥିବା ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କଠାରୁ ଜବତ ୯୩୭୧ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ ବ୍ୟାଙ୍କଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ଫଳରେ ବ୍ୟାଙ୍କଗୁଡ଼ିକର ଠକେଇ ଜନିତ ୪୦ ପ୍ରତିଶତ କ୍ଷତି ଭରଣା ହୋଇଛି।
ଇଡି ତରଫରୁ ବର୍ତ୍ତମାନ ସୁଦ୍ଧା ଏହି ତିନି ପଳାତକ ଅର୍ଥନୈତିକ ଅପରାଧୀଙ୍କର ଯେଉଁ ସଂପତ୍ତି ଜବତ କରାଯାଇଛି ତାହାର ମୂଲ୍ୟ ହେଉଛି ୧୮,୧୭୦.୦୨ କୋଟି ଟଙ୍କା। ସେଥିରେ ୯୬୯ କୋଟି ଟଙ୍କାର ବିଦେଶୀ ସମ୍ପତ୍ତି ସାମିଲ ରହିଛି। ଏହିସବୁ ଜବତ ସମ୍ପତ୍ତି ହସ୍ତାନ୍ତର କରାଗଲେ ବ୍ୟାଙ୍କଗୁଡ଼ିକର ୮୦.୪୫% କ୍ଷତି ଭରଣା ହୋଇଯିବ ବୋଲି ଆକଳନ କରାଯାଉଛି। ମାଲ୍ୟା ୯୦୦୦ କୋଟି ଟଙ୍କାର, ନିରବ ଓ ଚୋକ୍ସି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ୧୪,୫୦୦ କୋଟି ଟଙ୍କାର ଠକେଇ କରି ଦେଶ ଛାଡ଼ି ପଳାଇଛନ୍ତି।
ଇଡି ତରଫରୁ କେବଳ ବିଜୟ ମାଲ୍ୟାଙ୍କ ୧୦,୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା। ମାଲ୍ୟାଙ୍କ କଂପାନି ୟୁନାଇଟେଡ୍ ବ୍ରିୱେରିଜ୍ର ୮୦୦୦ କୋଟି ଟଙ୍କା ମୂଲ୍ୟର ସେୟାର, କିଙ୍ଗଫିସର ବ୍ରାଣ୍ଡ୍, ଲୋଗୋ, ହେଲିକପ୍ଟର, ଗାଡ଼ି, ସମ୍ପତ୍ତି ଏବଂ ବିଦେଶରେ ଥିବା ବ୍ୟାଙ୍କ ଖାତାକୁ ଇଡି ଜବତ କରିଥିଲା। ସେହିପରି, ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କ ହୀରା, ମୂଲ୍ୟବାନ ପଥର, ଗାଡ଼ି, ଥାଇଲ୍ୟାଣ୍ଡରେ ଥିବା ଏକ କାରଖାନା, ୱିଣ୍ଡ୍ ମିଲ୍ ଫାର୍ମ, ଆବାସିକ ଓ ଅନ୍ୟାନ୍ୟ ରିଅଲ ଇଷ୍ଟେଟ୍ ସମ୍ପତ୍ତିକୁ ଜବତ କରାଯାଇଛି। ମନି ଲଣ୍ଡରିଂ ମାମଲାର ଶୁଶାଣି ପାଇଁ ଗଠିତ ସ୍ପତନ୍ତ୍ର ପିଏମ୍ଏଲ୍ଏ କୋର୍ଟଙ୍କ ନିର୍ଦେଶାନୁସାରେ ଇଡି ଏହି ସବୁ ସମ୍ପତ୍ତି ଜବତ କରିଛି। ପଳାତକ ଅର୍ଥନୈତିକ ଅପରାଧୀଙ୍କ ସମ୍ପତ୍ତି ଜବତ କରିବା ଲାଗି ସରକାର ଏକ ସ୍ବତନ୍ତ୍ର ଆଇନ କାର୍ଯ୍ୟକାରୀ କରିଛନ୍ତି। ସେହି ଆଇନ ବଳରେ ସେମାନଙ୍କ ସମ୍ପତ୍ତି ଜବତ କରାଯାଇଛି।
ମାଲ୍ୟା, ନିରବ ଓ ଚୋକ୍ସି ମିଳିତ ଭାବେ ଭାରତରେ ୨୨,୫୮୫.୮୩ କୋଟି ଟଙ୍କାର ବ୍ୟାଙ୍କ ଠକେଇ କରିଛନ୍ତି। ମାଲ୍ୟା ଓ ନିରବ ବ୍ରିଟେନ୍ରେ ଓ ଚୋକ୍ସି ଡୋମିନିକାରେ ରହି ପ୍ରତ୍ୟର୍ପଣ ବିରୋଧ ଲଢ଼େଇ ଲଢ଼ୁଛନ୍ତି। ଏହି ତିନି ବ୍ୟକ୍ତିଙ୍କ ନାମରେ ସିବିଆଇ ଏଫ୍ଆଇଆର୍ ରୁଜୁ କରିବା ପରେ ଇଡି ତରଫରୁ ଦେଶବିଦେଶରେ ଥିବା ସେମାନଙ୍କ ସମ୍ପତ୍ତି ସନ୍ଧାନ କରି ଜବତ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଏହି ତିନି ଜଣ ବ୍ୟାଙ୍କରୁ ଋଣ ନେଇ ତାହାକୁ ଅନ୍ୟତ୍ର ବ୍ୟବହାର କରୁଥିଲେ। ବ୍ରିଟେନ୍ରେ ମାଲ୍ୟା ପ୍ରର୍ତପ୍ୟଣ ଲଢ଼େଇ ହାରି ସାରିଲେଣି। ତାଙ୍କର ଭାରତ ଫେରିବା ଏକ ପ୍ରକାର ନିଶ୍ଚିତ। ଏବେ ସେ ଆଇନରେ ଥିବା ବାଟଗୁଡ଼ିକୁ ଖୋଜି ସେହି ପ୍ରକ୍ରିୟାକୁ କେବଳ ବିଳମ୍ବ କରୁଛନ୍ତି। ନିକଟରେ ଇଡି ତରଫରୁ ଷ୍ଟେଟ୍ ବ୍ୟାଙ୍କ ନେତୃତ୍ବାଧୀନ ବ୍ୟାଙ୍କର କନ୍ସୋର୍ଟିୟମ୍କୁ ୬୦୦୦ କୋଟି ଟଙ୍କା ମୂଲ୍ୟର ସେୟାର ହସ୍ତାନ୍ତର କରିଥିଲା। ବ୍ୟାଙ୍କଗୁଡ଼ିକ ତରଫରୁ ଡେବ୍ଟ ରିକଭରି ଟ୍ରିବ୍ୟୁନାଲ୍ ୫୮୦୦ କୋଟି ଟଙ୍କା ମୂଲ୍ୟର ସେୟାର ବିକ୍ରି କରିଥିଲା। ଅନ୍ୟାନ୍ୟ ସମ୍ପତ୍ତି ଯଥା ରିଅଲ ଇଷ୍ଟେଟ୍ ସମ୍ପତ୍ତି ଓ ସ୍ଥାବର ସମ୍ପତ୍ତିଗୁଡ଼ିକୁ ମଧ୍ୟ ବ୍ୟାଙ୍କଙ୍କୁ ହସ୍ତାନ୍ତର କରାଯାଇଛି।