ଦେଶର ଅଛି ୫ଟି ଧନୀ ମନ୍ଦିର : ଯେଉଁଠୁ ଦାନ ମିଳେ କୋଟି କୋଟି ଟଙ୍କା

ଭାରତରେ ସବୁ ଧର୍ମର ଲୋକ ବାସ କରନ୍ତି। ଭାରତରେ ହଜାର ହଜାର ମନ୍ଦିର ଅଛି। ହିନ୍ଦୁ ଧର୍ମରେ ମନ୍ଦିର ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ବୋଲି କୁହାଯାଏ। ପ୍ରତି ବର୍ଷ ଏହିସବୁ ମନ୍ଦିରକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଶ ବିଦେଶରୁ ଦର୍ଶନ କରିବାକୁ ଆସିଥାନ୍ତି ଓ ଲକ୍ଷ ଲକ୍ଷ ଟଙ୍କା ଦାନ ମଧ୍ୟ କରିଥାନ୍ତି। ପ୍ରତ୍ୟେକ ମନ୍ଦିରର ନିଜର ଏକ ମହତ୍ତ୍ୱ ଓ ବିଶେଷତ୍ୱ ରହିଛି। ଦେଶର ୫ଟି ଖାସ ମନ୍ଦିର ସମ୍ପର୍କରେ ଜାଣିବା ଯେଉଁଠି ସବୁଠାରୁ ଅଧିକ ଦାନ ହୋଇଥାଏ ।

ପଦ୍ମନାଭସ୍ୱାମୀ, କେରଳ – ପଦ୍ମନାଭସ୍ୱାମୀ ମନ୍ଦିର ଭାରତର ସବୁଠାରୁ ଧନୀ ମନ୍ଦିର। ରିପୋର୍ଟ ଅନୁଯାୟୀ, ମନ୍ଦିରର ୬ଟି ଟ୍ରେଜେରିରେ ୨୦ ଅରବ ଡଲାର ସମ୍ପତ୍ତି ଅଛି। ମନ୍ଦିରରେ ସ୍ଥାପିତ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସୁନାରେ ତିଆରି ହୋଇଛି। ଏହି ମୂର୍ତ୍ତିର ଆନୁମାନିକ ମୂଲ୍ୟ ୫୦୦ କୋଟି ଟଙ୍କା। ମନ୍ଦିର ସମ୍ପତ୍ତିକୁ ନେଇ ଆଗରୁ ମଧ୍ୟ ଅନେକ ବିବାଦ ହୋଇଛି ଏବଂ ମାମଲା କୋର୍ଟ ଯାଏଁ ମଧ୍ୟ ଯାଇଛି।

ତିରୁପତି ବାଲାଜୀ, ତିରୁମାଲା – ତିରୁମାଲା ତିରୁପତି ବାଲାଜୀ ମନ୍ଦିର ଭାରତର ପ୍ରତିଷ୍ଠିତ ଓ ଧନୀ ମନ୍ଦିର ମଧ୍ୟରୁ ଗୋଟିଏ। ସୂଚନା ଅନୁଯାୟୀ, ଏହି ମନ୍ଦିରକୁ ପ୍ରତିଦିନ ପାଖାପାଖି ୬୦ ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି। କିନ୍ତୁ କରୋନା ପାଇଁ ବର୍ତ୍ତମାନ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନିଷେଧ ଅଛି। ଏହି ମନ୍ଦିରର ବାର୍ଷିକ ଆୟ ୬୫୦ କୋଟି ଟଙ୍କା।

ସାଇ ମନ୍ଦିର, ଶିରିଡି – ମହାରାଷ୍ଟ୍ର ଅହମଦ ନଗରରେ ସ୍ଥିତ ଶିରିଡି ସାଇ ମନ୍ଦିର ବହୁତ ଲୋକପ୍ରିୟ। ପ୍ରତି ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଶିରିଡି ସାଇ ସଂସ୍ଥା ରିପୋର୍ଟ ଅନୁଯାୟୀ, ବାର୍ଷିକ ଦାନ, ଦକ୍ଷିଣାରୁ ୩୬୦ କୋଟି ଟଙ୍କା ଆସିଥାଏ।

ବୈଷ୍ଣୋ ଦେବୀ, ଜାମ୍ମୁ – ମାତା ବୈଷ୍ଣୋ ଦେବୀ ମନ୍ଦିର ଦେଶରେ ବହୁତ ଲୋକପ୍ରିୟ। ମା’ଙ୍କ ଦର୍ଶନ ପାଇଁ ବର୍ଷ ସାରା ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ରିପୋର୍ଟ ଅନୁଯାୟୀ, ବାର୍ଷିକ ୫୦୦ କୋଟି ଟଙ୍କା ଭକ୍ତଙ୍କ ଚାନ୍ଦାରୁ ମିଳିଥାଏ।

ସିଦ୍ଧି ବିନାୟକ, ମୁମ୍ବାଇ – ମୁମ୍ବାଇ ସିଦ୍ଧି ବିନାୟକ ମନ୍ଦିର ବହୁତ ଲୋକପ୍ରିୟ। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଏଠାକୁ ଦର୍ଶନ ପାଇଁ ଓ ମନୋସ୍କାମନା ପୂରଣ ପାଇଁ ଆସିଥାନ୍ତି। ସୂଚନା ଅନୁଯାୟୀ, ପ୍ରତି ବର୍ଷ ମନ୍ଦିରକୁ ୭୫ ରୁ ୧୨୫ କୋଟି ଟଙ୍କା ଦାନରୁ ପ୍ରାପ୍ତ ହୋଇଥାଏ।