୨ ବର୍ଷ ହେଲା ଗଠନ ହୋଇନି ଆଦିବାସୀ ପରାମର୍ଶ ପରିଷଦ

ଭୁବନେଶ୍ବର,୨୬ /୬ : ୧୯୫୭ରେ ଓଡ଼ିଶା ପ୍ରଥମେ ଆଦିବାସୀ ପରାମର୍ଶ ପରିଷଦ (ଟ୍ରାଇବ୍ସ ଆଡଭାଇଜରି କାଉନସିଲ ବା ଟିଏସି) ଗଠନ କରି ସାରା ଦେଶ ପାଇଁ ମାର୍ଗଦର୍ଶକ ହୋଇଥିଲା। ସମୟ କ୍ରମରେ ଏହାକୁ ଦୁର୍ବଳ କରି ନାମମାତ୍ର କରି ଦିଆଗଲା। ଆଜିର ସ୍ଥିତି ହେଲା, ୨୦୧୯ରେ ନୂତନ ସରକାର ଗଠନ ପରଠାରୁ ନୂତନ ଟିଏସି ଗଠନ ହିଁ କରାଯାଇ ନାହିଁ। ବିନା ଟିଏସିର ଅନୁମୋଦନରେ ଆଦିବାସୀଙ୍କୁ ପ୍ରଭାବିତ କରିବା ଭଳି ଆଇନ କିଭଳି ଗୃହୀତ ଓ କାର୍ଯ୍ୟକାରୀ ହେଉଛି ଏହାକୁ ନେଇ ସାମାଜିକ କର୍ମକର୍ତ୍ତାମାନେ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି।

ଭାରତୀୟ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ, ଦେଶର ଯେଉଁ ରାଜ୍ୟରେ ଅନୁସୂଚିତ କ୍ଷେତ୍ର ରହିଥିବ, ସେଠାରେ ଟିଏସି ଗଠନ କରାଯିବା ଉଚିତ। ଓଡ଼ିଶାରେ ସମୁଦାୟ ଜନସଂଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଆଦିବାସୀ। ମୟୂରଭଞ୍ଜ, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ସମ୍ପୂର୍ଣ୍ଣ ଏବଂ କେନ୍ଦୁଝର, ଗଜପତି, ଗଂଜାମ ଆଂଶିକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହାକୁ ଦୃଷ୍ଟିରେ ରଖି ଆଦିବାସୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟିଏସିର ଗଠନ କରାଯାଇ ଆସୁଛି। ଏହି କମିଟିର ସଭାପତି ଭାବରେ ମୁଖ୍ୟମନ୍ତ୍ରୀ, ଉପସଭାପତି ଆଦିବାସୀ ଉନ୍ନୟନ ମନ୍ତ୍ରୀଙ୍କୁ ମିଶାଇ ମୋଟ ୨୦ ଜଣ ସଦସ୍ୟ ରହିଥାନ୍ତି। ଏଥିରୁ ୧୫ ଜଣ ଆଦିବାସୀ ବିଧାୟକ ହେବା ଉଚିତ। ପ୍ରତିବର୍ଷ ଅନ୍ୟୂନ ୨ ଥର କମିଟିର ବୈଠକ ବସି ଆଦିବାସୀ ସମ୍ପର୍କିତ ଆଇନର ତର୍ଜମା କରାଯାଇ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯିବା କଥା। ମାତ୍ର ଗତ କିଛି ବର୍ଷ ହେଲା କମିଟି ଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ସ୍ଥାଣୁ କରି ଦିଆଯାଇଥିଲା। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୪, ୨୦୧୫ ଏବଂ ୨୦୧୬ ମସିହାରେ ୩ ବର୍ଷ ଧରି ଟିଏସିର ବୈଠକ ହୋଇନାହିଁ। ୨୦୧୨ ଏବଂ ୨୦୧୩ରେ ବର୍ଷକୁ ଥରେ ଲେଖାଏଁ ବୈଠକ ହୋଇଛି। ଶେଷ ବୈଠକ ୨୦୧୮ ଜୁନ ୨୮ ତାରିଖରେ ହୋଇ କୋରାପୁଟର ବିଭିନ୍ନ ଜନଜାତି ସମୂହକୁ ଅନୁସୂଚିତ ଜନଜାତିରେ ସାମିଲ ପାଇଁ ପ୍ରସ୍ତାବ, ଝାରସୁଗୁଡ଼ା ଜିଲ୍ଲାର କିରମିରା, ଲଇକେରା, ସମ୍ବଲପୁର ଜିଲ୍ଲାର ଯୁଯୁମୁରାକୁ ଆଇଟିଡିଏରେ ସାମିଲ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଥିଲା। ହେଲେ ୨୦୧୯‌ରେ ନୂତନ ସରକାର ଗଠନ ପରଠାରୁ ଓଡ଼ିଶାରେ ଟିଏସି ଗଠନ କରାଯାଇନାହିଁ। ଏପରିକି ୨୦୧୯ ଜୁନ ୧୧ ତାରିଖରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଅନୁସୂଚିତ କ୍ଷେତ୍ର ସମ୍ପର୍କରେ ବୈଠକ ହୋଇ ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ଟିଏସି ଗଠନ ପାଇଁ ନିର୍ଦେଶ ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରା