ଆଜିଠାରୁ ତିନିଦିନିଆ ପୂର୍ବ ଲଦାଖ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୭/୬ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ତିନିଦିନିଆ ପୂର୍ବ ଲଦାଖ ଗସ୍ତରେ ଯାଉଛନ୍ତି । ତାଙ୍କ ସହିତ ଭାରତର ସେନା ମୁଖ୍ୟ ଜେନେରାଲ ଏମ ଏମ ନର୍ବାଣେ ମଧ୍ୟ ଯିବେ । ଚୀନ ସହିତ ପୂର୍ବ ଲଦାଖ ଏବଂ ଅରୁଣାଚଳ ସୀମାନ୍ତରେ ଦୀର୍ଘ କାଳ ଧରି ଲାଗିରହିଥିବା ସୀମା ବିବାଦଜନିତ ଅଚଳାବସ୍ଥା ପରିପ୍ରେକ୍ଷୀରେ ଭାରତୀୟ ସେନାର ରଣ ପ୍ରସ୍ତୁତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଟିକିନିଖି ଭାବରେ ସମୀକ୍ଷା କରିବେ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଯେ ୨୦୨୦ ମଇ ମାସ ପ୍ରଥମ ସପ୍ତାହରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଚୀନ ସହିତ ସାମରିକ ଉତ୍ତେଜନା ପ୍ରଶମିତ କରିବାକୁ ଦୁଇପକ୍ଷ ମଧ୍ୟରେ ଆଉଏକ ପର୍ଯ୍ୟାୟ କୂଟନୈତିକ ଆଲୋଚନା କରାଯିବାର ଦୁଇଦିନ ପରେ ପ୍ରତିରକ୍ଷା ମନ୍ତ୍ରୀ ଉକ୍ତ ଅଞ୍ଚଳ ଗସ୍ତ କରୁଛନ୍ତି । ଏହି ଅବସରରେ ସେଠାରେ ସେ ସୀମା ସଡକ ସଂଗଠନ (ବିଆରଓ) ଦ୍ୱାରା ନିର୍ମାଣ କରାଯାଇଥିବା କେତେକ ସଂରଚନା ପ୍ରକଳ୍ପ ଉଦଘାଟନ କରିବା ସହିତ ଉକ୍ତ ଅଞ୍ଚଳରେ ମୁତୟନ ଭାରତୀୟ ସେନା ଯବାନଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାଣିବାକୁ ମିଳିଛି ।