ମୁମ୍ବାଇରେ ପ୍ରଭାବହୀନ ହେବ ତୃତୀୟ ଲହର

ମୁମ୍ବାଇ : ମୁମ୍ବାଇରେ ପ୍ରାୟ ୮୦ ପ୍ରତିଶତ ଜନସଂଖ୍ୟା କୋଭିଡ୍‌ ସଂକ୍ରମିତ ହୋଇସାରିଛନ୍ତି। ତେଣୁ ତୃତୀୟ ଲହର ବେଶୀଦିନ ରହିବନି ବୋଲି ଟିଆଇଏଫ୍‌ଆର (ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ୍‌ ରିସର୍ଚ୍ଚ‌୍) ଆ‌କଳନରୁ ଜଣାପଡ଼ିଛି। ୮୦ ପ୍ରତିଶତ ଜନସଂଖ୍ୟା ସଂକ୍ରମିତ ହୋଇଥିବା ଆକଳନ କରାଯାଇଛି। ବାକି ୨୦ ପ୍ରତିଶତ ମୁମ୍ବାଇ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ଟିକା ନେଇଥିବାରୁ ତୃତୀୟ ଲହର ବେଶୀ କ୍ଷତି କରିବନି। ପୁନଃ ସଂକ୍ରମଣର ଆଶା ବି କ୍ଷୀଣ ବୋଲି କୁହାଯାଉଛି। ତେବେ କିଛି ପ୍ରଜାତି ରୋଗ ପ୍ରତିରୋଧକତାରୁ ଖସି ଯାଉଥିବାରୁ ଏଥିଯୋଗୁଁ ସମସ୍ୟା ଉପୁଜିପାରେ। ତେବେ କରୋନା ନିୟମାବଳିର ସଠିକ୍‌ ଭାବେ ପାଳନ ନକଲେ ପରିସ୍ଥିତି ଜଟିଳ ହୋଇପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷେ ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ କମ୍‌ ସଂଖ୍ୟାରେ ମୁମ୍ବାଇ ବାସିନ୍ଦା ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଅଧିକ ସଂକ୍ରମଣ ରହିଛି। ମୁମ୍ବାଇରେ ଦ୍ବିତୀୟ ଲହରରେ ପ୍ରତିଦିନ ପ୍ରାୟ ୧୧ ହଜାର ମାମଲା ରେକର୍ଡ ହୋଇଛି କିନ୍ତୁ ଦିଲ୍ଲୀରେ ‌ଦୈନିକ ମାମଲା ପ୍ରାୟ ୨୮ ହଜାର ଏବଂ ବେଙ୍ଗାଲୁରୁରେ ୨୫ ହଜାର ମାମଲା ରେକର୍ଡ କରାଯାଇଛି।