ଉତ୍ତରପ୍ରଦେଶକୁ ମୋଦୀଙ୍କ ଉପହାର, ୭ ନେତାଙ୍କୁ ମିଳିଲା ମନ୍ତ୍ରୀ ପଦ

ଲକ୍ଷ୍ନୌ, ୭/୭: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଉପହାର। ଉତ୍ତରପ୍ରଦେଶରୁ ୭ ନେତା ମୋଦୀଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି । ଅନୁପ୍ରିୟା ପଟେଲ, କୌଶଳ କିଶୋର, ବିଏଲ ବର୍ମା, ଏସପି ସିଂହ ବଘେଲ, ପଙ୍କଜ ଚୌଧୁରୀ, ଭାନୁ ପ୍ରତାପ ବର୍ମା ଏବଂ ଅଜୟ ମିଶ୍ରଙ୍କୁ ମିଳିଛି ମନ୍ତ୍ରୀ ପଦ।

ସାଂସଦ କୌଶଳ କିଶୋର : ଲକ୍ଷ୍ନୌର କାଳିଚରଣ ଡିଗ୍ରି କଲେଜରୁ ଛାତ୍ର ରାଜନୀତିରେ ପ୍ରବେଶ କରିଥିବା କୌଶଳ କିଶୋର ମୋଦୀ ମନ୍ତ୍ରିମଣ୍ଡଳ​‌ରେ ସ୍ଥାନ ପାଇଛନ୍ତି। ସେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ଏବଂ ମୋହନଲାଲଗଞ୍ଜରୁ ସାଂସଦ ଅଛନ୍ତି। ବୁଧବାର କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବିସ୍ତାର ବେଳେ ସାଂସଦ କୌଶଳ କିଶୋର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ସାଂସଦ ଅନୁପ୍ରିୟା ପଟେଲ : ଉତ୍ତରପ୍ରଦେଶର ମିର୍ଜାପୁର ସାଂସଦ ତଥା ଆପନା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷା ଅନୁପ୍ରିୟା ପଟେଲ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ହୋଇଛନ୍ତି। ବୁଧବାର ସେ କେନ୍ଦ୍ରୀୟ ରାଷ୍ଟ୍ର ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ମିର୍ଜାପୁର ସାଂସଦ ୨୦୧୪ରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ହୋଇଥିଲେ। ୨୦୧୯ରେ ପୁଣି ମୋଦୀ ସରକାର ଆସିବା ପରେ ତାଙ୍କୁ ମନ୍ତ୍ରୀ ପଦ ମିଳିନଥିଲା।

ପଙ୍କଜ ଚୌଧୁରୀ ମୋଦୀ : ମହାରାଜଗଞ୍ଜରୁ ବିଜେପି ସାଂସଦ ପଙ୍କଜ ଚୌଧୁରୀଙ୍କୁ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ କରାଯାଇଛି। ପଙ୍କଜଙ୍କୁ ଦଳ ନେତୃତ୍ବଙ୍କ ପକ୍ଷରୁ ମଙ୍ଗଳବାର ଡକରା ଆସିଥିଲା । ବୁଧବାର ସେ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ପଙ୍କଜ ଷଷ୍ଠ ଥର ପାଇଁ ଲୋକସଭା ନିର୍ବଚନ ଜିତିଛନ୍ତି। ସେ କେନ୍ଦ୍ରୀୟ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଏସପି ସିଂହ ବଘେଲ : ଆଗ୍ରାରୁ ବିଜେପିର ସାଂସଦ ସତ୍ୟପାଲ ସିଂହ ବଘେଲ ବୁଧବାର ସନ୍ଧ୍ୟାରେ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ମୋଦୀଙ୍କ ଟିମ୍‌ରେ ଭାନୁ ପ୍ରତାପ : ଜାଲୌନ-ଗରୌଠା-ଭୋଗନୀପୁରୁ ପଞ୍ଚମ ଥର ସାଂସଦ ହୋଇଥିବା ଭାନୁ ପ୍ରତାପ ବର୍ମା ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଭାନୁ ପ୍ରତାପ ବୁନ୍ଦେଲଖଣ୍ଡରୁ ଏକମାତ୍ର ମନ୍ତ୍ରୀ। ୧୯୮୮ ମସିହାରେ ନିଜର ରାଜନୀତି ଜୀବନ ଆରମ୍ଭ କରିଥିଲେ ଭାନୁ ପ୍ରତାପ ବର୍ମା।

ଅଜୟ ମିଶ୍ର : ଲକ୍ଷିମପୁର ଖେରୀରୁ ସାଂସଦ ଅଜୟ ମିଶ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ସେ ଆଜି ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଖେରି ଲୋକସଭା ସିଟ୍‌ରୁ ଅଜୟ ମିଶ୍ର ଲଗାତାର ଦ୍ବିତୀୟ ଥର ସାଂସଦ ହୋଇଛନ୍ତି।

ରାଜ୍ୟସଭା ସାଂସଦ ବିଏଲ ବର୍ମା : ରାଜ୍ୟସଭା ସାଂସଦ ବିଏଲ ବର୍ମା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୧୯୮୦ରେ ଆରଏସଏସର ଖଣ୍ଡ କାର୍ଯ୍ୟବାହକ ଥିବା ବିଏଲ ବର୍ମା ଗତବର୍ଷ ବିଜେପି ଟିକେଟ୍‌ରେ ରାଜ୍ୟସଭା ପହଞ୍ଚିଥିଲେ।