ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ !

ନୂଆଦିଲ୍ଲୀ,୧୦/୭ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ହୋଇପାନ୍ତି ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାମନ୍ତ୍ରୀଙ୍କ ନାଁ ଚର୍ଚ୍ଚାର ଆଗରେ ଥିବାବେଳେ ମୁଖତାର୍ ଅବସ ନକଭିଙ୍କ ନାଁ ମଧ୍ୟ ଶୁଣାଯାଉଛି। ତେବେ କର୍ଣ୍ଣାଟକ ରାଜ୍ୟପାଳ ଭାବେ ଥାବର ଚନ୍ଦ ଗେହଲଟଙ୍କ ନିଯୁକ୍ତି ପରେ ଏହି ପଦବୀ ଖାଲି ରହିଛି।

ସେହିପରି ଦଳର ସଂସଦୀୟ ବୋର୍ଡରେ ୪ଟି ସ୍ଥାନ ଖାଲି ରହିଛି। ସୁଷମା ସ୍ୱରାଜ, ଅନନ୍ତ କୁମାର ଓ ଅରୁଣ ଜେଟଲିଙ୍କ ଦେହାନ୍ତ ପରେ ମଧ୍ୟ ୩ଟି ଆସନ ଖାଲି ପଡ଼ିଛି। ତେଣୁ ଦଳର ସଂସଦୀୟ ବୋର୍ଡ ପୁନର୍ଗଠନ ଜରୁରୀ ହୋଇପଡ଼ିଛି। ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧରଣ କମିଟି ହେଉଛି ସଂସଦୀୟ କମିଟି ବା ପାର୍ଲାମେଂଟାରୀ ବୋର୍ଡ। ତେଣୁ ଦଳର ସାଂଗଠନିକ ବ୍ୟାପାରରେ ଭଲ ଦଖଲ ଥିବା ନେତାଙ୍କୁ ଏହି ପଦବୀରେ ଅଗ୍ରାଧିକାର ମିଳିପାରେ। ଆଉ ଧର୍ମେନ୍ଦ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ପରେ ଦଳରେ ତାଙ୍କର ପତିଆରା ବୃଦ୍ଧି ପାଉଥିବା କୁହାଯାଉଛି ।